କିଡ୍‌ନି ଚୋରି ମାମଲାରେ ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିସନଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର: କିଡ୍‌ନି ଚୋରି ମାମଲାରେ ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଆପୋଲୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିସନ । ମେଡିକାଲର ପଞ୍ଜିକରଣ ରଦ୍ଦ କରି ପୀଡିତଙ୍କୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ବି ନିର୍ଦ୍ଦେଶ ଜାତୀୟ ମାନବାଧିକାର କମିସନ ଦେଇଛନ୍ତି । ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କିଡନି ଚୋରିକୁ ନେଇ ଆପୋଲୋ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ କମିସନ ଖାରଜ କରିଦେଇଛନ୍ତି ।

ପୂର୍ବରୁ ଆପୋଲୋର ପଞ୍ଜିକରଣ ରଦ୍ଦ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା , ହେଲେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରି ଚୁପ୍ ବସିଛନ୍ତି । ଏବେ କମିସନ ପୁଣି ଥରେ ମୁଖ୍ୟ ଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡ଼ା ନିର୍ଦ୍ଦେଶ ଦେବା ପରେ ଉଭୟ ରାଜ୍ୟ ସରକାର ଓ ଆପୋଲୋ ହସ୍ପିଟାଲ ଅଡ଼ୁଆରେ ପଡିଛନ୍ତି ।

ସୂଚନାଯୋଗ୍ୟ, ୨୦୧୩ ମସିହାରେ ବରଗଡ ଜିଲ୍ଲାର ଅନୀଲ କୁମାର ସ୍ୱାମୀଙ୍କ କିଡନିକୁ ବେଆଇନ ଭାବେ ତାଙ୍କ ପଡ଼ୋଶୀ ରାଘବ ଦୋରାଙ୍କଠାରେ ଆପୋଲୋ ହସ୍ପିଟାଲ ପ୍ରତିରୋପଣ କରିଥିଲା । ଏନେଇ ୨୦୧୬ ମସିହା ଜାନୁଆରି ୩ତାରିଖରେ ଅନୀଲ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେହି ମାସ ୫ ତାରିଖରେ ମାନବାଧିକାରୀ କର୍ମୀ ଶ୍ରୀ ଅଖଣ୍ଡ ଏହି ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସମ୍ବନ୍ଧିତ ଖବର