ନବୀନଙ୍କୁ ଭେଟିଲେ ରହେମାନ୍‌

ବଗିଚା ବୁଲି ସେଲ୍‌ଫି ନେଲେ, ମଧ୍ୟାହ୍ନ ଭୋଜନ ଖାଇଲେ

ଭୁବନେଶ୍ବର : ‌ହକି ଉଦ୍‌ଘାଟନୀର ଅନ୍ୟତମ ମୁଖ୍ୟ ଆକର୍ଷଣ ଏ ଆର୍‌ ରହେମାନ୍‌ ଓଡ଼ିଶାରେ ପହଞ୍ଚିଛନ୍ତି। ବିଶ୍ବକପ୍‌ ଉଦ୍‌ଘାଟନୀ ପୂର୍ବରୁ ରିହର୍ସାଲ୍‌ ପାଇଁ ସେ ଭୁବନେଶ୍ବରରେ ପହଞ୍ଚିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଘଣ୍ଟାଏ କାଳ ନବୀନ ନିବାସରେ କଟାଇବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ସହ ବଗିଚାରେ ସମୟ କଟାଇବା ପରେ ସେଲ୍‌ଫି ନେବାକୁ ଭୁଲିନାହାନ୍ତି ଏ ଆର୍‌ ରହେମାନ୍‌।

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ହୋଟେଲ୍‌ ଟ୍ରାଇଡେଣ୍ଟ୍‌କୁ ଯାଇଥିଲେ। ହୋଟେଲ୍‌ରେ କିଛି ସମୟ ରହିବା ପରେ ମସଜିଦ୍‌କୁ ଯାଇ ନମାଜ ପାଠ କରିଥିଲେ। ନବୀନଙ୍କୁ ଭେଟିବା ପାଇଁ ଦିନ ୨ଟାରେ ସେ ନବୀନ ନିବାସରେ ପହଞ୍ଚିଥିଲେ। ଉଭୟ ଘଣ୍ଟାଏ କାଳ ବିଭିନ୍ନ ବିଷୟ ଆଲୋଚନା ସହ ମଧ୍ୟାହ୍ନ ଭୋଜନ କରିଥିଲେ। ବିଶେଷକରି ପାରମ୍ପରିକ ଓ ଜନଜାତି ବାଦ୍ୟଯନ୍ତ୍ର ସଂଗୀତର ଡିଜିଟାଇଜେସନ୍‌ ଓ ସଂରକ୍ଷଣ ସମ୍ପର୍କରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଆର୍‌ ‌ରହେମାନ୍‌ଙ୍କୁ ଜନଜାତି ସଂଗ୍ରହାଳୟ ବୁଲି ଦେଖିବା ପାଇଁ କହିଥିଲେ। ଏଥିସହ ଅତୀତରେ ଜୟ ହୋ..ଏବଂ ବନ୍ଦେ ମାତରଂ… ଭଳି ଗୀତ ପ୍ରସ୍ତୁତ କରିଥିବାରୁ ମୁଖ୍ୟମନ୍ତ୍ରୀ ରହେମାନ୍‌ଙ୍କୁ ପ୍ରଶଂସା କରିଥିଲେ।

ଓସ୍କାର ବିଜେତା ସଂଗୀତଜ୍ଞ ରହେମାନ୍‌ ଏହି ଅବସରରେ ହକି ବିଶ୍ବକପ୍‌ ପାଇଁ ପ୍ରସ୍ତୁତ କରିଥିବା ଥିମ୍‌ ସଂଗୀତ ବାବଦରେ ମତ ରଖି କହିଛନ୍ତି ଯେ, ଏହି ଗୀତ ପ୍ରସ୍ତୁତି ପାଇଁ ତାଙ୍କୁ ଅନ୍ୟୁନ ୩ ମାସ ସମୟ ଲାଗିଛି। ଓଡ଼ିଶା ସମେତ ଚେନ୍ନାଇ, ମୁମ୍ବାଇ ଏବଂ ଦେଶର ଅନ୍ୟ କିଛି ସ୍ଥାନରେ ଏହି ଗୀତର ଭିଡିଓ ସୁଟିଂ କରାଯାଇଥିବା ରହେମାନ କହିଥିଲେ। ଏଥିସହ ହକି ବିଶ୍ବକପ୍‌ ଆୟୋଜନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ହକି ବିଶ୍ବକପ୍‌ ଉଦ୍‌ଘାଟନୀକୁ ଆଉ ୪ ଦିନ ବାକି ଥିବାରୁ କଳିଙ୍ଗ ଷ୍ଟାଡିୟମ ଯାଇ ରହର୍ସାଲ କରିବେ ବୋଲି ସୂଚନା ମିଳିଛି। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ ଏବଂ ୨୮ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଏଆର୍‌ ରହେମାନଙ୍କ ସଂଗୀତର କାର୍ଯ୍ୟକ୍ରମ ଥିବାରୁ ଅନେକ ଏହାକୁ ବିପୁଳ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ରହେମାନ୍‌ ବି ଏହି କାର୍ଯ୍ୟକ୍ରମକୁ ଦମ୍‌ଦାର କରିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର