ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ରାମଚନ୍ଦ୍ର ପ୍ରତିହାରୀଙ୍କ ପରଲୋକ

ପୁରୀ: ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ରାମଚନ୍ଦ୍ର ପ୍ରତିହାରୀଙ୍କ ରବିବାର ପରଲୋକ ହୋଇଯାଛି। ଦୀର୍ଘ ଦିନ ହେବ ସେ ଅସୁସ୍ଥତା ଅନୁଭବ କରୁଥିଲେ। ଆଜି ପୁରୀରେ ରାମଚନ୍ଦ୍ର ପ୍ରତିହାରୀଙ୍କ ୮୭ ବର୍ଷ ବୟସରେ ହୃଦ୍‌ଘାତ କାରଣରୁ ବିୟୋଗ ହୋଇଛି।

ଓଡ଼ିଶାର ପ୍ରସିଦ୍ଧ ରଂଗମଂଚ ପୁରୀର ‘ଅନ୍ନପୂର୍ଣ୍ଣ ଥିଏଟର’ର କଳାକାର ରାମଚନ୍ଦ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିହାରୀ ସେବାୟତ ଥିଲେ ମଧ୍ୟ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା। ଏଥି ପାଇଁ ସେ ଜନତା ରଙ୍ଗମଂଚରୁ କ୍ୟାରିୟର କରିବା ପାଇଁ ମନସ୍ଥ କରି ସଫଳତା ମଧ୍ୟ ପାଇଥିଲେ। ସେଠାରେ ବେଶ କେତୋଟି ନାଟକରେ ଜୀବନ୍ତ ଅଭିନୟ କରିବା ପରେ ଅଭିନେତା ଭାବରେ ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇ ପାରିଥିଲେ। ତା’ ପରେ ରାମ ପ୍ରତିହାରୀ ଆଉ ପଛକୁ ଫେରି ନଥିଲେ।

ତତ୍କାଳୀନ ପ୍ରଯୋଜକ ସ୍ୱର୍ଗତ ଧୀର ବିଶ୍ୱାଳ ସର୍ବ ପ୍ରଥମେ ରାମ ପ୍ରତିହାରୀଙ୍କୁ ଓଡ଼ିଆ ଚଳଚ୍ଚିତ୍ର ‘ନୂଆବୋଉ’ରେ ଅଭିନୟ କରିବାରେ ସୁଯୋଗ ଦେଇଥିଲେ। ଏହି ସିନେମାରେ ସେ ଲୋକପ୍ରିୟ ଅଭିନେତା ପ୍ରଶାନ୍ତ ନନ୍ଦଙ୍କ ବଡ଼ ଭାଇ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ଚଳଚ୍ଚିତ୍ର ‘ନୀଳମାଧବ’ରେ ଅଭିନୟ କରିଥିଲେ। ପରେ ସେ ରଂଗମଂଚ ଏବଂ ଯାତ୍ରା ଜଗତରେ ଅଧିକ ସକ୍ରିୟ ହୋଇଥିଲେ।

ଓଡ଼ିଶା ସରକାରଙ୍କ ଦ୍ୱାରା ରାମଚନ୍ଦ୍ର ପ୍ରତିହାରୀଙ୍କୁ ‘ଜୟଦେବ ପୁରସ୍କାର’ ମିଳିଥିଲା। ସେହିପରି ରାମଚନ୍ଦ୍ରଙ୍କୁ ‘ଅଲ୍‌ ଇଣ୍ଡିଆ ସିନେ କ୍ରିଟିକ ଆଓ୍ଵାର୍ଡ’ ମଧ୍ୟ ମିଳିଥିଲା। ନାଟ୍ୟକାର ପ୍ରତିହାରୀଙ୍କ ବିୟୋଗରେ ସାହିତ୍ୟିକ-ନାଟ୍ୟକାର ମହଲରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର