ଲକଡାଉନ ନିୟମ ଉଲଂଘନ: ୨୪ ଘଣ୍ଟା ମଧ୍ୟରେ ୨୪୫ ମାମଲା ରୁଜୁ

କରୋନା ପାଇଁ ୯୮୯ କଏଦୀଙ୍କୁ ଅନ୍ୟ ଜେଲଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର: କୋଭିଡ-୧୯ ପାଇଁ ଲାଗୁ ହୋଇଥିବା ଲକଡାଉନ ସମୟରେ ବିଭିନ୍ନ ନିୟମ ଉଲଂଘନ କରିବା ମାମଲାରେ ପୁଲିସ ୨୪ ଘଣ୍ଟା ମଧ୍ୟରେ ରାଜ୍ୟବ୍ୟାପୀ ୨୪୫ଟି ମାମଲା ରୁଜୁ କରିଛିି । ଏପ୍ରିଲ ୧ ତାରିଖ ସକାଳ ଠାରୁ ଏପ୍ରିଲ ୨ ତାରିଖ ମଧ୍ୟରେ ଏହି ମାମଲାଗୁଡ଼ିକ ରୁଜୁ ହୋଇଥିବା ଜଣାପଡ଼ିଛି । ଏଥିରୁ ଲକଡାଉନ ନିୟମ ଉଲଂଘନ କରିବା ଅଭିଯୋଗରେ ୨୨୯ ଟି ମାମଲା ରୁଜୁ ହୋଇଥବା ବେଳେ ହୋମ କ୍ୱାରେଣ୍ଟାଇନ ନିୟମ ଉଲଂଘନ କରିବା ଅଭିଯୋଗରେ ୬ଟି ମାମଲା ରୁଜୁ ହୋଇଛି । ସେହିଭଳି ଅନ୍ୟାନ୍ୟ ନିୟମ ଉଲଂଘନ ଅଭିଯୋଗରେ ୧୦ଟି ମାମଲା ରୁଜୁ ହୋଇଛି ।

ଓଡ଼ିଶା ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ କୋଭିଡ-୧୯ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ୯୦ଟି ଜେଲ ଥିବା ବେଳେ ଏଥିରେ ୧୮ ହଜାର ୧୨ ଜଣ କଏଦୀ ରହିବା ପାଇଁ ବ୍ୟବସ୍ଥା ଅଛି । କିନ୍ତୁ ଏବେ ଏହିସବୁ ଜେଲଗୁଡ଼ିକରେ ୧୭ ହଜାର ୫୧୯ ଜଣ କଏଦୀ ରହୁଥିବା ବେଳେ ୩ ହଜାର ୭୫୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧ ହଜାର ୮୭୩ ୟୁଟିପି (ଅଣ୍ଡର ଟ୍ରାଏଲ ପ୍ରିଜନ୍ସ)ଙ୍କୁ ମାର୍ଚ୍ଚରୁ ଏପ୍ରିଲ ୧ ତାରିଖ ମଧ୍ୟରେ ଛାଡ଼ିଦିଆଯାଇଛି । ସେହିପରି ୯୮୯ କଏଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଛି । ୨୦ ଜଣ କଏଦୀଙ୍କୁ ପାରୋଲରେ ଛାଡ଼ି ଦିଆଯାଇଥିବା ବେଳେ ୧୭୭ ଜଣ କଏଦୀଙ୍କୁ ଉତ୍ତମ ବ୍ୟବହାର ପାଇଁ ଜେଲଦଣ୍ଡ ସମୟ ହ୍ରାସ କରାଯାଇ ଛାଡ଼ି ଦିଆଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ଜେଲ ନିଦ୍ଦେଶାଳୟ ଇ-ଭିଜିଟ ଅର୍ଥାତ ଇ-ମୁଲାକାତ ବ୍ୟବସ୍ଥା କରିଥିଲେ । କରୋନା ପାଇଁ ସାମାଜିକ ଦୂରତ୍ୱ ପାଇଁ କଏଦୀଙ୍କ ସଂପର୍କୀୟଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଥିଲା ।

ସମ୍ବନ୍ଧିତ ଖବର