ଜଗା-ବଳିଆଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା, ସ୍କୁଲ ଯିବା ସମ୍ଭାବନା କମ୍!

କଟକ: ଜଗା-ବଳିଆଙ୍କୁ ଭେଟିବା ସହ ଆଜି ଏସ୍‌ସିବିରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅନୁଧ୍ୟାନ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା। ଜଗା ସୁସ୍ଥ ଥିବାବେଳେ ବଳିଆ ଅସୁସ୍ଥ ରହୁଛି ବୋଲି ସେ କହିବା ସହ ଖୁବ୍‌ଶୀଘ୍ର ବଳିଆ କିପରି ଆରୋଗ୍ୟ ଲାଭ କରିବ ସେ ସଂପର୍କରେ ବିଶେଷଜ୍ଞମାନେ ଚିକିତ୍ସା ଜାରି ରଖିଥିବା ସୂଚନା ଦେଇଛନ୍ତି।

ଅନ୍ୟପଟେ ଜଗାକୁ ଏସ୍‌ସିବି ପରିସରରେ ଥିବା ସହାୟ ଅନୁଷ୍ଠାନ ପାଠ ପଢାଇବା ପାଇଁ ରାଜି ଅଛନ୍ତି, କିନ୍ତୁ ଜଗା କେଉଁଠି ଓ କେମିତି ପାଠ ପଢିବ ସେ ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଉଛି। ଖୁବ୍‌ଶୀଘ୍ର ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି। ମନ୍ତ୍ରୀ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ସହ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ମିଶ୍ର ପ୍ରମୁଖ ଏସ୍‌ସିବି ଯାଇଥିଲେ। ଅନ୍ୟପଟେ ଜଗା ସ୍କୁଲ ଯାଇପାରିବନି ବୋଲି ଅନୁଧ୍ୟାନ କମିଟି ରିପୋର୍ଟ ଦେଇଛି। ଘରୋଇ ଶିକ୍ଷକ ମାଧ୍ୟମରେ ଜଗା ପାଠପଢିବ ବୋଲି ଏକପ୍ରକାର ନିଷ୍ପତ୍ତି ନିଆଯାଇଥିଲେ ସୁଦ୍ଧା ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ଫଳରେ ଜଗାର ପାଠପଢା ନେଇ ଏବେବି ନାନା ଆଶଙ୍କ‌ା ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର