ବେଙ୍ଗାଲୁରୁ : ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ପ୍ରଦେଶ ଭାବରେ ଗଢ଼ିତୋଳିବା ପାଇଁ ଅସୀମ ଓଡ଼ିଶା ଏହାର ବଜ୍ର ଶପଥ ଘୋଷଣା କରିଛି । ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କର ଏହି ଶୀର୍ଷ ସଂଗଠନ ରାଜ୍ୟର ସର୍ବାଙ୍ଗୀନ ଉନ୍ନୟନ ସକାଶେ ପ୍ରବାସୀ ଓଡ଼ିଆମାନଙ୍କୁ ଏକଜୁଟ୍ କରିବାର ପ୍ରୟାସ ଲଗାତରଭାବେ ଜାରି ରଖିଥିବା ଜଣାଯାଇଛି । ବେଙ୍ଗାଲୁରୁଠାରେ ଅନୁଷ୍ଠିତ ଅସୀମ ଓଡ଼ିଶାର ମାନସମନ୍ଥନ ବୈଠକରେ ଆମର ମାତୃପ୍ରଦେଶ ଆଉ ମାତ୍ର ୧୪ବର୍ଷ ପରେ ଏହାର ୧୦୦ତମ ପ୍ରତିଷ୍ଠା ବର୍ଷ ପାଳନ କରିବାକୁ ଯାଉଥିବା ସମୟରେ, ଏହାକୁ ପୁନର୍ବାର ସୁଜଳା, ସୁଫଳା ଓ ଶସ୍ୟ ଶ୍ୟାମଳା ସ୍ୱରୂପ ପ୍ରଦାନ ପାଇଁ ସଂସ୍ଥା ଏହାର ପ୍ରତିବଦ୍ଧତା ପ୍ରକାଶ କରିଛି । ଅଧିବେଶନରେ ସାରା ଦେଶରୁ ଆସିଥିବା ଓଡ଼ିଆ ସମ୍ପ୍ରଦାୟର ତୁଙ୍ଗ ନେତା ଏବଂ ବିଶିଷ୍ଟ ପ୍ରବାସୀ ଓଡ଼ିଆମାନେ ଯୋଗଦେଇଥିଲେ । ଆରମ୍ଭରେ ସ୍ୱର୍ଗତଃ ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି ବୈଠକକୁ ସମ୍ବୋଧନ କରି ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ କୁମାର ଜେନା ଓଡ଼ିଶାରେ ଅସୀମ ଓଡ଼ିଶାର କାର୍ଯ୍ୟକ୍ଷେତ୍ରକୁ ବ୍ୟାପକ ଭାବେ ବିସ୍ତାର କରାଯିବା ଉପରେ ଜୋର୍ ଦେଇଥିଲେ । ବିଶେଷକରି କୋଭିଡ୍ ମହାମାରୀର ପରବର୍ତ୍ତୀ କାଳରେ ରାଜ୍ୟର କୋ ଅନୁକୋଣରେ ଜନସମ୍ପର୍କ ଏବଂ ସମାଜସେବା କରିବା ନେଇ ଅସୀମ ଓଡ଼ିଶା ସାମ୍ନାରେ ଭରପୂର ସୁଯୋଗ ରହିଥିବା ଶ୍ରୀ ଜେନା ଦର୍ଶାଇଥିଲେ । ଓଡ଼ିଶାର ପୁନଃନିର୍ମାଣ ପାଇଁ ବିଶ୍ୱର ସମସ୍ତ ଓଡ଼ିଆ, ଅସୀମ ଓଡ଼ିଶାକୁ ସାହାଯ୍ୟ, ସମର୍ଥନ ଓ ସହଯୋଗ ପ୍ରଦାନ କରିବା ପାଇଁ ଶ୍ରୀ ଜେନା ଆହ୍ୱାନ ଜଣାଇଥିଲେ । ଅସୀମ ଓଡ଼ିଶାର ମୁଖ୍ୟ ପ୍ରୋତ୍ସାହକ ନିହାର ସାମନ୍ତରା ସଂଗଠନର ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଓଡ଼ିଶାର ନବନିର୍ମାଣ ଏବଂ ନୂଆ ଓଡ଼ିଶା ଗଠନ ନେଇ ତନ, ମନ ଓ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ ।
ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ କୁମାର ଜେନା, ମୁଖ୍ୟ ପ୍ରୋତ୍ସାହକ ନିହାର ସାମନ୍ତରା, ସମ୍ପାଦକ ନିରଞ୍ଜନ ମିଶ୍ର, ଶ୍ବେତାଙ୍କ ରାଜଗୁରୁ, ମନୋଜ ପାତ୍ର, ବସନ୍ତ ରାଉଳ, ମଞ୍ଜୁ ରାଉଳ ଏବଂ ଟି.ଏମ୍. ସୁନ୍ଦରେଶନ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଅସୀମ ଓଡ଼ିଶାର ପରିଚାଳନା ଟ୍ରଷ୍ଟି ବିଚାରପତି ଜଗନ୍ନାଥ ପ୍ରସାଦ ଉଦ୍ଗାତା, ମୁଖ୍ୟ ସଂଯୋଜକ କିଶୋର ଦ୍ୱିବେଦୀ, କାର୍ଯ୍ୟନିର୍ବାହୀ ସମ୍ପାଦକ ହରପ୍ରସାଦ ମହାପାତ୍ର ଓ ଟ୍ରଷ୍ଟି କାମାକ୍ଷା ପଣ୍ଡା ପ୍ରମୁଖ ଅନ୍ଲାଇନ୍ ଜରିଆରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।