ଆଜିଠାରୁ ବିଧାନସଭା: ଆରମ୍ଭରୁ ତାତିବ, ସରକାରଙ୍କୁ ଘେରିବେ ବିରୋଧୀ

ମୁକାବିଲା ପାଇଁ ବିଜେଡିର ରଣନୀତି, କେନ୍ଦ୍ର ଅବହେଳା କଥା କହିଲେ ନବୀନ

ଭୁବନେଶ୍ବର: ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ବୁଧବାର ଆରମ୍ଭ ହେଉଛି। ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍‌ ୮ଟି କାର୍ଯ୍ୟଦିବସ ରହିଛି। ଗୋଟିଏ ଦିନ ଅର୍ଥାତ ୩ ତାରିଖରେ ପ୍ରାଇଭେଟ୍‌ ମେମ୍ବର୍ସ ଦିନ ରହିଛି। ପ୍ରଥମ ଦିନରେ ୭ଟି ବିଲ୍‌ ଓ ଗୋଟିଏ ଅଧ୍ୟାଦେଶ ଗୃହରେ ଉପସ୍ଥାପନ ହେବ। ଏହି ଅଧିବେଶନରେ ମୋଟ୍‌ ୧୨ଟି ବିଲ୍‌ ଆସିବ। ଗୃହ ଚାଲୁଥିଲା ବେଳେ ଆହୁରି ଅଧିକ ବିଲ୍‌ ଆସିବାର ସମ୍ଭାବନା ରହିଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

ବିଧାନସଭା ଅଧିବେଶନର ଅବଧି କମ୍ ଥିଲେ ମଧ୍ୟ ଗୃହ ସରଗରମ ହେବା ନିଶ୍ଚିତ। ପ୍ରଥମ ଦିନରୁ ଶାସକ ଓ ବିରୋଧୀ ମୁହାଁମୁହିଁ ହେବେ ବୋଲି ଆଜି ତିନି ଦଳର ହୋଇଥିବା ବିଧାୟକ ଦଳ ବୈଠକରୁ ସଙ୍କେତ ମିଳିଛି। ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ ଥିଲା ବେଳେ ବିରୋଧୀଙ୍କୁ ପାଲଟା ଆକ୍ରମଣ କରିବାକୁ ବିଜେଡି ବି ପ୍ରସଙ୍ଗ ଚୟନ କରିଛି। ବିଜେପି କେବଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିବାକୁ ଯୋଜନା କରିଥିଲା ବେଳେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟର ଦୋଷ ବାହାର କରିବ। ବିଜେପି ଓ କଂଗ୍ରେସ ପକ୍ଷରୁ ପୃଥକ ପୃଥକ ଭାବେ ରଣନୀତି କରାଯାଇଥିଲେ ବି କିଛି ପ୍ରସଙ୍ଗ ସମାନ ରହିଛି। ତେଣୁ ଏହି ପ୍ରସଙ୍ଗଗୁଡ଼ିକରେ ବିରୋଧୀ ଦଳର ସ୍ବର ଏକ ହେଲେ ସରକାର ଅଡ଼ୁଆରେ ପଡ଼ିବାର ସମ୍ଭାବନା ରହିଛି। ଏହାକୁ କିପରି ମୁକାବିଲା କରାଯିବ, ସେଥିପାଇଁ ବିଜେଡି ବି ନିଜକୁ ପ୍ରସ୍ତୁତ କରିଛି। କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ମୁଖ୍ୟ ବିରୋଧୀ ଦଳ ବିଜେପିର ମନୋବଳ ଭାଙ୍ଗିବା ପାଇଁ ବିଜେଡି ଯୋଜନା କରିଛି।

ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଅସୁସ୍ଥ ଥିବାରୁ ଉପନେତା ବିଷ୍ଣୁ ସେଠୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି, ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାର କୌଣସି ଠୋସ୍ ପ‌ଦକ୍ଷେପ ନେଇ ନାହାନ୍ତି। ରାଜ୍ୟ ସରକାରଙ୍କ ପୂର୍ବ ଘୋଷିତ ଜଳସେଚନ ପ୍ରକଳ୍ପ କେବଳ କାଗଜ କଲମରେ ରହିଯାଇଛି। ବିଧାନସଭାରେ ଏ ପ୍ରସଙ୍ଗରେ ଆଲୋଚନା କରାଯିବ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟ ସରକାର ପଛୁଆ ଓ ଆର୍ଥିକ ଅନଗ୍ରସର ସଂରକ୍ଷଣ କ୍ଷେତ୍ରରେ ପଛଘୁଞ୍ଚା ଦେବା ପ୍ରସଙ୍ଗରେ ବିଜେପି ପକ୍ଷରୁ ଜବାବ ମଗାଯିବ। ରାଜଧାନୀରେ ଦିନ ଦ୍ବିପ୍ରହରରେ ରାଜରାସ୍ତାରେ ହତ୍ୟାକାଣ୍ଡ, ବାଲେଶ୍ବରରେ ବିଚ୍ ରାସ୍ତାରେ ହତ୍ୟା, ବହୁଚର୍ଚ୍ଚିତ ମାନସ ଦାସ ଘଟଣାରେ ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି, ମାହାଙ୍ଗା ଡବଲ୍‌ ମର୍ଡର୍‌ ତଦନ୍ତରେ ଚଞ୍ଚକତା ଆଦି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପଦାରେ ପକାଉଛି। ଏସବୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରାଯିବ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଜେଡିର ଭୋଟ୍‌ବ୍ୟାଙ୍କ ରାଜନୀତିକୁ ବିରୋଧ କରାଯିବ। କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନ କରିବାର ମାନସିକତା କାରଣରୁ ରାଜ୍ୟବାସୀ ଆୟୁଷ୍ମାନ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଏସବୁ ବାଦ୍ ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନା ଦୁର୍ନୀତି, ୟୁରିଆ ସାର ସମସ୍ୟା, ଜଳସେଚନ ସମସ୍ୟା, ଷ୍ଟାଫ୍‌ ସିଲେକ୍ସନ୍ କମିସନ୍ ଦୁର୍ନୀତି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ମହିଳା‌ ସୁରକ୍ଷା, ବେରୋଜଗାର, ଖଣି ଦୁର୍ନୀତି, ବିଦ୍ୟୁତ ଶୁଳ୍କ ବୋଝ ଆଦି ପ୍ରସଙ୍ଗକୁ ବିଜେପି ଗୃହରେ ଉଠାଇବ ବୋଲି ଶ୍ରୀ ମାଝୀ କହିଛନ୍ତି। ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି କେ ଭି ସିଂହଦେଓ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ବିଧାୟକମାନେ ଉପସ୍ଥିତ ଥିଲେ।

ସେହିପରି କଂଗ୍ରେସ ଭବନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସିଥିଲା। କଂଗ୍ରେସ ରାଜ୍ୟ ପ୍ରଭାରୀ ଏ ଚେଲ୍ଲାକୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା। ବିଧାନସଭାରେ କଂଗ୍ରେସର ସଂଖ୍ୟା କମ୍ ହେଲେ ବି ପୂର୍ବ ଅଧିବେଶନଗୁଡ଼ିକ ପରି ଏଥର ବି ପ୍ରଭାବୀ ଢଙ୍ଗରେ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ହୋଇଥିଲା। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ‌କଂଗ୍ରେସ ବିଧାୟକମାନେ ଘେରିବେ। ମରୁଡ଼ି ମୁକାବିଲା, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା, ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି, ଷ୍ଟାଫ ସିଲେକ୍ସନ ଦୁର୍ନୀତି, ବିଜୁଳି ଦର ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସ୍ଥାଣୁ ହୋଇ ରହିବା ଆଦି ପ୍ରସଙ୍ଗ ଗୃହରେ ଉଠାଯିବ ବୋଲି ସୂଚନା ମିଳିଛି।

ବିଜେଡି ବିଧାୟକ ଦଳ ବୈଠକ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠ ଓ ନୂଆ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ପଟ୍ଟନାୟକ ଦଳୀୟ ବିଧାୟକମାନଙ୍କୁ ଉଦ୍‌ବୋଧନ ଦେଲା ବେଳେ ସିଧାସଳଖ କେନ୍ଦ୍ରର ଅବହେଳା ପ୍ରସଙ୍ଗ ଉଠାଇଥିଲେ। ନିର୍ଦ୍ଦିଷ୍ଟ ଭାବେ ଚାଷ ପ୍ରସଙ୍ଗରେ କେନ୍ଦ୍ରର ଅବହେଳାକୁ ସେ ସମାଲୋଚନା କରିଥିଲେ। ଠିକ୍ ସମୟରେ ସାର ଯୋଗାଣ ନ ହେବା, ଏମ୍‌ଏସ୍‌ପି ନ ବଢ଼ାଇବା ଓ ଏଫ୍‌ସିଆଇ ଧାନ ଉଠାଉ ନ ଥିବା କଥା ସେ କହିଥିଲେ। ସେହିପରି ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିସନ୍‌ରେ ଓଡ଼ିଶାକୁ ଉଚିତ ପରିମାଣରେ ଅର୍ଥ ମିଳିନାହିଁ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିଲେ। ଏହା ସହ ରାଜ୍ୟ ସରକାରଙ୍କ ସଫଳତାକୁ ମଧ୍ୟ ସେ ବର୍ଣ୍ଣନା କରିଥିଲେ। ବିଧାୟକମାନେ ଏ ସମ୍ପର୍କରେ ସଚେତନ ହୋଇ ଗୃହକୁ ଯିବା ପାଇଁ କୁହାଯାଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଗ୍ରାମାଞ୍ଚଳ ଆବାସ ଯୋଜନା ଓ ଏମ୍ଏସ୍‌ପି ପ୍ରସଙ୍ଗ ବିଜେଡି ଗୃହରେ ଉଠାଇବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟକଚୁ ନେଇ ସ୍ବାମୀନାଥନ୍ କମିଟି ସୁପାରିସ୍ ଲାଗୁ କିରବା ପାଇଁ ଗୃହରେ ଦାବି କରାଯିବ। ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିରୋଧୀ ଦଳର ସଦସ୍ୟମାନେ ଯେଉଁ ସବୁ ପ୍ରସଙ୍ଗ ଆଣିବେ ତା’ର ମୁକାବିଲା କରାଯିବ। କେନ୍ଦ୍ର ଅବହେଳା ନେଇ ଅନେକ ପ୍ରସଙ୍ଗ ଆମ ପାଖରେ ଅଛି, ସେସବୁ ଗୃହରେ ଉପସ୍ଥାପନ କରାଯିବ।

ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ଗୃହରେ ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ଟ୍ରଷ୍ଟ(ସଂଶୋଧନ) ଅଧ୍ୟାଦେଶ-୨୦୨୧ ଉପସ୍ଥାପନ ହେବ। ଏହି ଅଧ୍ୟାଦେଶକୁ ମଧ୍ୟ ବିଲ୍ ଆକାରରେ ବିଭାଗୀୟ ମନ୍ତ୍ରୀ ଗୃହରେ ଉପସ୍ଥାପନ କରିବେ। ଉପସ୍ଥାପିତ ହେବାକୁ ଥିବା ଅନ୍ୟ ୬ଟି ବିଲ୍ ହେଲା, ଓଡ଼ିଶା ବସ୍ତି ବାସିନ୍ଦାମାନଙ୍କର ଭୂମି ଅଧିକାର (ସଂଶୋଧନ) ବିଲ-୨୦୨୧, ଓଡ଼ିଶା ଜିଏସ୍ଟି ସଂଶୋଧନ ବିଲ-୨୦୨୧, ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍‌-୨୦୨୧, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ(ସଂଶୋଧନ) ବିଲ୍‌-୨୦୨୧, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ-୨୦୨୧ ଏବଂ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍-୨୦୨୧।

ସମ୍ବନ୍ଧିତ ଖବର