ହୀରାକୁଦ ଉପରମୁଣ୍ଡରେ ଏଯାଏ ବର୍ଷିଲାଣି ୭୬ ପ୍ରତିଶତ

ସମ୍ବଲପୁର: ମହାନଦୀ ଅବବାହିକାରେ ଏଥର ପ୍ରବଳ ବର୍ଷା ହୋଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ଅନ୍ୟ ବର୍ଷ ତୁଳନାରେ ଏଥର ଜଳପ୍ରବେଶ ବି ବଢ଼ିଛି। ସ୍ଥିତି ଏମିତି ‌ହୋଇଛି ଯେ, ଏପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ହେବାକୁ ଥିବା ହାରାହାରି ବାର୍ଷିକ ବୃଷ୍ଟିପାତର ୭୬.୨୨ ପ୍ରତିଶତ ବର୍ଷା ହୋଇସାରିଛି। ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ, ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଯେତିକି ବର୍ଷା ହୋଇଥାଏ, ସବୁ ପାଣି ମହାନଦୀକୁ ନିଷ୍କାସନ ହେବାକୁ ପାଖାପାଖି ୬ ଦିନ ସମୟ ଲାଗିଥାଏ। ତେଣୁ, ଜଳଭଣ୍ଡାରକୁ ଏହା ପ୍ରବେଶ କରିବାକୁ ଆଉ କିଛି ସମୟ ଲାଗିବ ବୋଲି ସେ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ହୀରାକୁଦ ଜଳଭଣ୍ଡାର କ୍ୟାଚ୍‌ମେଣ୍ଟ ଏରିଆର ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି। ହଁସଦେଓ, ଜଙ୍କ, ଅପର୍ ଜଙ୍କ, ଶିଓନାଥ ଭଳି କେତେକ ନଦୀ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ମହାନଦୀ ସହିତ ମିଶିଛି। ଏପଟେ ଓଡ଼ିଶାର କେଲୋ, ଭେଡନ ଓ ଇବ୍‌ ଆଦି ନଦୀର ଜଳ ପୁଣି ହୀରାକୁଦ ଜଳଭଣ୍ଡାରକୁ ପଶୁଛି। ଛତିଶଗଡ଼ ରାଜ୍ୟର ଘୋଘାରି, ନନ୍ଦଘାଟ, ସିଓରିନାରାୟଣ, ଚମ୍ପା, ସାରାଡ଼ିହି, ତାରାପୁର ଏବଂ ଓଡ଼ିଶାର ଦେଓଗାଁ, ଖେରୁଆଲ ଆଦି ଜାଗାରେ ଗେଜ୍‌ପୋଷ୍ଟ ଷ୍ଟେସନ ରହିଛି। ଏହା ବ୍ୟତୀତ ସ୍ଥାନୀୟ ଅନେକ ନଈନାଳର ପାଣି ବି ସିଧାସଳଖ ହୀରାକୁଦ ଜଳଭଣ୍ଡାରରେ ମିଶୁଛି। ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧୧୧୫ ମିଳିମିଟର ହେଉଥିବା ବେଳେ ଏଥର ହାରହାରି ୮୪୯.୮୫ ମିଳି ମିଟର ବର୍ଷା ହୋଇସାରିଛି।

ଅର୍ଥାତ ଏହାର ୭୬. ୨୨ ପ୍ରତିଶତ ବର୍ଷା ହୋଇସାରିଲାଣି। ମହାନଦୀରେ ୧୯୬୧ ମସିହାରେ ସର୍ବାଧିକ ୧୫.୦୫ ଲକ୍ଷ କ୍ୟୁସେକ୍ ପାଣି ଆସିଥିବା ବେଳେ ଏବେ କିନ୍ତୁ ଛତିଶଗଡ଼ର ଶେଷ ଜଳ ନିଷ୍କାସନ ପଥ କଲମା ବ୍ୟାରେଜରେ ୬ କ୍ୟୁସେକ୍ ପାଣି ମହାନଦୀରେ ଛଡ଼ାଯାଇଛି। ଏହା ବ୍ୟତୀତ କେ‌ଲୋ ଓ ଇବ୍ ନଦୀରେ ସର୍ବାଧିକ ୨.୩୦ ଲକ୍ଷ କ୍ୟୁସେକ୍ ପାଣି ହୀରାକୁଦ ପ୍ରବେଶ ରେକର୍ଡ ଥିବା ବେଳେ ଏଥର ୨ ଲକ୍ଷ କ୍ୟୁସେକ୍ ପାଣି ପ୍ରବେଶ କରିଛି। ଯେତିକି ଆଶା କରାଯାଉଥିଲା, ତାଠାରୁ ଅଧିକ ବର୍ଷା ହେବା କାରଣରୁ ହୀରାକୁଦ ଅଧିକ ଜଳପ୍ରବେଶ କରିଥିଲା। ବନ୍ୟା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି‌ ଖୋଲାଯାଇଥିବା ୩୪ଟି ଗେଟ୍‌ରୁ ୮ଟି ଗେଟ୍‌ ବନ୍ଦ ରଖାଯାଇଥିଲା। ତେବେ, ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଥିବାରୁ ହୀରାକୁଦ ଜଳଭଣ୍ଡାରର ସୁରକ୍ଷାକୁ ଦୃ୍‌ଷ୍ଟିରେ ରଖି ଆଜି ପୁଣି ୩ଟି ପର୍ଯ୍ୟାୟରେ ଅଧିକ ଗେଟ୍‌ ୧୪ଟି ଗେଟ୍ ଖୋଲଯାଇଛି।

ଆଜି ରାତି ୮ଟାରୁ ୪୦ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୬ ଲକ୍ଷ ୪୮ ହଜାର ୮୦ କ୍ୟୁସେକ୍ ବନ୍ୟା ଜଳ ମହାନଦୀରେ ନିଷ୍କାସନ କରାଯାଉଛି। ଏହା ବ୍ୟତୀତ ପାୱାର ଚାନେଲଦେଇ ୨୧,୧୪୪ କ୍ୟୁସେକ୍ ପାଣି ମହାନଦୀରେ ଛଡ଼ାଯାଇଛି। ସ୍ଲୁଇସ୍‌ ଗେଟ୍‌ ଓ ପାୱାର ଚାନେଲଦେଇ ସର୍ବମୋଟ ୬,୬୯,୨୨୪ କ୍ୟୁସେକ୍ ପାଣି ମହାନଦୀରେ ଛଡ଼ାଯାଇଥିବା ବେଳେ ଆସନ୍ତାକାଲି ବୁଧବାର ରାତି ୮ଟାରେ ଏହା ବଡ଼ମୂଳ ଏବଂ ଗୁରୁବାର ସକାଳ ୮ଟାରେ ମୁଣ୍ଡଳି ନିକଟରେ ପହଂଚିବା ନେଇ ଆକଳନ କରାଯାଇଛି। ତେବେ, ଆଜି ସନ୍ଧ୍ୟାରେ ମୁଣ୍ଡୁଳି ନିକଟରେ ପ୍ରାୟ ୧୨ ଲକ୍ଷ କ୍ୟୁସେକ ଜଳ ପ୍ରବାହତ ହେଉଥିଲା। ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ୧୧ ଲକ୍ଷ ୯୩ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହୋଇଥିବା କରାଯାଇଛି।

ସମ୍ବନ୍ଧିତ ଖବର