ବୁଥ୍‌ ଭିତରେ ପ୍ରାଣାନ୍ତକ ଆକ୍ରମଣ: ଅଭିଯୁକ୍ତ କୋର୍ଟ ଚାଲାଣ

ଆହତ ଯୁବକଙ୍କୁ ଭେଟିଲେ ସାଂସଦ

ଧାମନଗର: ଧାମନଗର ଏନଏସି ନିର୍ବାଚନରେ ୯ ନମ୍ବର ୱାର୍ଡ ୧୬ନମ୍ବର ବୁଥରେ ଜଣେ ଯୁବକଙ୍କ ଆକ୍ରମଣରେ ଆହତ ଯୁବକ ରମେଶ ଚନ୍ଦ୍ର ପଲେଇ ଏବେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣକାରୀ ଯୁବକ ସେକ୍ ଅସ୍ତାକକୁ ପୁଲିସ ଗତକାଲି ଅଟକ ରଖିବା ପରେ ଆଜି ଗିରଫ କରିଛି। ଗତକାଲିଠାରୁ ଧାମନଗରରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା ବେଳେ ୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଗତକାଲି ସନ୍ଧ୍ୟା ଠାରୁ ଆଜି ସକାଳ ୫ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିଥିଲା।

ସକାଳ ୬ଟା ପରେ ୧୪୪ ଧାରାକୁ ପ୍ରତ୍ୟାହାର କରାଯାଇଛି। ଶୁକ୍ରବାର ‌ଦ‌ୋକାନ ବଜାର ଖୋଲିବା ସହିତ ପରିସ୍ଥିତି ସ୍ବାଭାବିକ ହେଉଛି। ଆକ୍ରମଣକାରୀ ସେକ୍ ଅସ୍ତାକକୁ ପୁଲିସ ଗିରଫ କରିବା ସହିତ ତାଙ୍କ ନାମରେ କେସନଂ ୧୧୦/୨୨ରେ ଏକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାବେଳେ ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରମେଶକୁ ଆକ୍ରମଣ ପରେ ୧୬ନମ୍ବର ବୁଥ ସମେତ ୧୭, ୧୮, ୮, ୯ ଓ ୩ ନମ୍ବର ବୁଥରେ ଉତ୍ୟକ୍ତ ଲୋକମାନେ ଇଭିଏମ୍ ସମେତ ବିଭିନ୍ନ କାଗଜପତ୍ର ଓ ଆସବାବପତ୍ରକୁ ଭାଙ୍ଗିରୁଜି ଦେଇଥିବାରୁ ସେଠାରେ ମତଦାନ ବନ୍ଦ ରହିଥିଲା। ପରିସ୍ଥିତିି ନିୟନ୍ତ୍ରଣାଧୀନ ପରେ ସେଠାରେ ଏହି ୬ଟି ବୁଥରେ ସାନି ମତଦାନ ହେବ ବୋଲି ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଇଭିଏମ୍ ଭଙ୍ଗା ଘଟଣାରେ ପୁଲିସ ଜଣକୁ ମଧ୍ୟ ଅଟକ ରଖିଛି। ଅପରପକ୍ଷରେ ଅାକ୍ରମଣରେ ଅାହତ ହୋଇଥିବା ରମେଶଙ୍କ ପରିବାରଙ୍କୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଧାମନଗର ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ସରୋଜ କୁମାର ମହାପାତ୍ର, ନଗରସଭାପତି ସୁଶାନ୍ତ କୁମାର ରାଉତ, ଅଧ୍ୟକ୍ଷା ପ୍ରାର୍ଥୀ ନିବେଦିତା ଜେନା, ନଜମା ଖାତୁନ୍ ଓ ବହୁ ବିଜେଡ଼ି କର୍ମୀ ଭେଟିଥିଲେ।

ସନ୍ଧ୍ୟାରେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଣବବଳବନ୍ତ ରାୟ, ପୂର୍ବତନ ବିଧାୟକ  ମୁକ୍ତିକାନ୍ତ ମଣ୍ଡଳ କଟକ ବଡ଼ ମେଡ଼ିକାଲରେ ପହଞ୍ଚି ଅାହତ ରମେଶକୁ ଭେଟି ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଅପରପକ୍ଷରେ ଉକ୍ତ ଆକ୍ରମଣକୁ ବିଜେଡ଼ି ଜାଣିଶୁଣି କରାଇଛି ଏବଂ ଯେଉଁସବୁ ବୁଥ୍ ଭଙ୍ଗାରୁଜା ହୋଇଯାଇଛି ତାହାକୁ ବିଜେଡ଼ିର କର୍ମୀମାନେ କରିଛନ୍ତି ବୋଲି ଶୁକ୍ରବାର ବିଜେପିର ନଗରସଭାପତି କୈଳାସ ମହାପାତ୍ରଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ ଉଠାଇଛି। ପରବର୍ତ୍ତୀ ସମୟ‌ରେ ବିଜେପି କର୍ମୀଙ୍କ ନାମରେ ଜାଣିଶୁଣି ଯଦି ପୁଲିସ ମାମଲା ରୁଜୁ କରେ ତେବେ ପରିସ୍ଥିତି ଭୟାନକ ହେବ ବିଜେପି କହିଛି।

ସମ୍ବନ୍ଧିତ ଖବର