ଗୁଣିଗାରେଡ଼ି ସଂଦେହରେ ଅମାନୁଷିକ କାଣ୍ଡ : ୩ ମାସ ବନ୍ଦୀ କରି ନିର୍ଯାତନା, ୬ ଅଭିଯୁକ୍ତ କୋର୍ଟ ଚାଲାଣ

ତତଲା ‌ଲୁହାରଡ୍‌ରେ ଦିଆଯାଉଥିଲା ଚେଙ୍କ

କୁଳିଅଣା : ଅନ୍ଧବିଶ୍ବାସରେ ବଶବର୍ତ୍ତୀ ହୋଇ ମଣିଷ କିପରି ଅମଣିଷ ପାଲଟିଯାଏ; ତାର ଏକ ଘୃଣ୍ୟ ଉଦା‌ହରଣ ସାମ୍ନାକୁ ଆସିଛି। ମୟୂରଭଂଜ ଜିଲ୍ଲା ସାନସରାସପୋଷି ଗ୍ରାମର ଶ୍ୟାମସୁନ୍ଦର ସିଂ ଗୁଣି କରି ହଇରାଣ ହରକତ କରୁଥିବା ସଂଦେହରେ ଗ୍ରାମବାସୀ ତାଙ୍କୁ ୩ ମାସରୁ ଅଧିକ ସମୟ ଧରି ଏକ କୋଠରିରେ ବନ୍ଦ କରି ରଖିଥିଲେ। ଠିକଣା ସମୟରେ ଖାଇବା ମିଳୁ ନଥିଲା। ନିର୍ଯାତନା ଦିଆଯିବା ସହ ହତ୍ୟା ଉଦ୍ୟମ କରାଯାଇଥିଲା। ତେବେ ଭଉଣୀମାନେ କୌଣସି ମତେ ତାଙ୍କୁ ଚଳିତମାସ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଶେଷରେ ଶ୍ରୀ ସିଂ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ଦେଇଥିଲେ। ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତବର୍ଷ ସେପ୍ଟେମ୍ବର-ଅକ୍ଟୋବର ମାସରେ ଚାନ୍ଦୁଆ ଥାନା ଅଧୀନ ନୋଧନା ପଞ୍ଚାୟତ ସାନସରାସପୋଷି ଗ୍ରାମରେ କୌଣସି କାରଣରୁ ଏକାଧିକ ଗୋରୁଗାଈ ମଲେ। କିଛି ଲୋକଙ୍କ ଦେହ ଖରାପ ହେଲା। କେହି ଗୁଣିଗାରେଡ଼ି ଦ୍ବାରା ଏପରି କରୁଥିବା କୁହାଗଲା। ଏନେଇ ଶ୍ୟାମସୁନ୍ଦର ସିଂ (୫୨)ଙ୍କ ଉପରେ ଗ୍ରାମବାସୀଙ୍କ ସଂଦେହ ହୋଇଥିଲା। ଫଳରେ ସେମାନେ ତାଙ୍କୁ ଧରି ଗତ ଗତବର୍ଷ ନଭେମ୍ବର ମାସରେ ଗ୍ରାମର ଜଣଙ୍କ ଘରର ଏକ କୋଠରିରେ ବନ୍ଦ କରିଦେଇଥିଲେ। ସେଠାରେ ତାଙ୍କୁ ୩ ଦିନରେ ଥରେ ଖାଇବାକୁ ମିଳୁଥିଲା। ମାଡ଼ ମରାଯାଉଥିଲା। ମାଡ଼ରେ ତାଙ୍କର ବାମହାତଟି ଭାଙ୍ଗିଯାଇଛି। ସେହିପରି ଲୁହାରଡ୍‌ ଗରମ କରି ଶରୀରର ବିଭିନ୍ନ ସ୍ଥାନରେ ଚେଙ୍କ ଦିଆଯାଉଥିଲା। ଏପରିକି ମୁହଁରେ ତକିଆ ଦେଇ ଜୀବନରୁ ମାରିଦେବାକୁ ଉଦ୍ୟମ ମଧ୍ୟ କରାଯାଇଥିଲା। ଏମିତିକି ଗ୍ରାମବାସୀ ଶ୍ରୀ ସିଂଙ୍କ ଘରୁ ୧୧ କୁଇଣ୍ଟାଲ୍‌ ଧାନ ଓ ୮ ବସ୍ତା ଚାଉଳ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି।

ବହୁ ଉଦ୍ୟମ ପରେ ଭଉଣୀମାନଙ୍କ ଦ୍ବାରା ଶ୍ରୀ ସିଂ ଉକ୍ତ ବନ୍ଦ କୋଠରିରୁ ଚଳିତମାସ ୧୭ ତାରିଖରେ ଉଦ୍ଧାର ହୋଇଥିଲେ। ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ଏ ନେଇ ଚାନ୍ଦୁଆ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ୧୫/୨୧ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ଘଟଣାରେ ସଂପୃକ୍ତ ଗ୍ରାମର ଅମର ସିଂ (୬୫), କମଲ ସିଂ (୩୬), ସନାତନ ସିଂ(୪୫), ରାଜକିଶୋର ସିଂ(୪୨), ରାଜେନ୍ଦ୍ର ସିଂ(୪୦), ରଙ୍ଗଲାଲ ସିଂ (୩୮)ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର