କେନ୍ଦୁପତ୍ର ମାଫିଆଙ୍କ ଦାଦାଗିରି: ଏସିଏଫ୍‌ଙ୍କ ଗାଡ଼ି ଉପରେ ଆକ୍ରମଣ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତ ଅଞ୍ଚଳରେ ସୀମା ଟପିଲାଣି କେନ୍ଦୁପତ୍ର ମାଫିଆଙ୍କ ଉତ୍ପାତ। ଭୟ ଦେଖାଇ କେନ୍ଦୁପତ୍ରର ବ୍ୟାପକ ଚୋରା କାରବାର ଚଳାଇଛନ୍ତି। ସୋମବାର ଚାରମାଳ ଥାନା ଅଞ୍ଚଳରେ କେନ୍ଦୁପତ୍ର ମାଫିଆମାନେ ଜଣେ ଜଙ୍ଗଲ ବିଭାଗର ଅଧିକାରୀଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହିତ ତାଙ୍କୁ ଭୁଜାଲି, ଛୁରି ଦେଖାଇ ଜୀବନରେ ମାରିଦେବାକୁ ଧମକ୍ ଦେଇଛନ୍ତି। ଏ ନେଇ ଅଧିକାରୀ ଜଣଙ୍କ ମଙ୍ଗଳବାର ଚାରମାଳ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତକାଲି କେନ୍ଦୁପତ୍ର ମାଫିଆମାନେ ଚାରମାଳ ରେଞ୍ଜ ଅଞ୍ଚଳରୁ କେନ୍ଦୁପତ୍ର ଚୋରା ଚାଲାଣ କରୁଥିଲେ। ଖବରପାଇ ବନ ବିଭାଗର ଏସିଏଫ ଦେବୀପ୍ରସାଦ ରାଉତ ସଦଳବଳେ ଘଟଣାସ୍ଥଳକୁ ଯାଇଥିଲେ। ମାଫିଆମାନେ ବନ ବିଭାଗ ଅଧିକାରୀ ଆସୁଥିବା ଖବରପାଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ଏପରିକି ସେମାନେ କରଡ଼ାପାଳ ଗ୍ରାମ ନିକଟରେ ଏସିଏଫଙ୍କ ଗାଡ଼ିକୁ ଜାଣିଶୁଣି ଧକ୍କା ଦେଇଥିଲେ। ଗାଡ଼ିରୁ ଓହ୍ଲାଇ ଏସିଏଫଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ।
ଏ ନେଇ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର