ଆବାସ କଳିରେ ବଳି ପଡ଼ୁଛନ୍ତି ଲକ୍ଷ ଲକ୍ଷ ବାସହୀନ ପରିବାର: କଂଗ୍ରେସ

ଶ୍ବେତପତ୍ର ମାଗିଲା କଂଗ୍ରେସ, ଗିରିରାଜଙ୍କ ମନ୍ତବ୍ୟକୁ ନାପସନ୍ଦ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ କଳିରେ କଂଗ୍ରେସ ଆଜି ମୁଣ୍ଡ ପୂରାଇଛି। ଦଳ ଅଭିଯୋଗ କରିଛି ଯେ କେନ୍ଦ୍ର-ରାଜ୍ୟର କଳିରେ ରାଜ୍ୟର ଲକ୍ଷ ଲକ୍ଷ ବାସହୀନ ପରିବାର ବଳି ପଡ଼ୁଛନ୍ତି। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ବିଧାନସଭାରେ ୧୨ ଲକ୍ଷ ୨୫ ହଜାର ୭୧୫ଜଣ ଆବାସ ଯୋଜନାରେ ଅପେକ୍ଷାରେ ଥିବା ସୂଚନା ଦେଇଛନ୍ତି। ବାସ୍ତବରେ ଏହି ସଂଖ୍ୟା ୨୦ଲକ୍ଷରୁ ଅଧିକ ହେବ। ତେବେ ଆବାସ ଯୋଜନାରେ ରାଜ୍ୟରେ ସ୍ବଚ୍ଛତା ନ ଥିବାକୁ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି। ରାଜ୍ୟବାସୀ ମଧ୍ୟ ଆବାସ ଯୋଜନ ପ୍ରଣୟନକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ତେଣୁ ଆବାସ ଯୋଜନା ଉପରେ ଏକ ଶ୍ବେତପତ୍ର ପ୍ରକାଶ କରିବା ଲାଗି ରାଜ୍ୟ କଂଗ୍ରେସ ପକ୍ଷରୁ ଦାବି ହୋଇଛି।

୧୨ଲକ୍ଷ ବାସହୀନଙ୍କୁ ତୁରନ୍ତ ବାସଘର ଯୋଗାଇବାକୁ ଦାବି

ଶୁକ୍ରବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ କହିଲେ, କେନ୍ଦ୍ର ଓ ରାଜ୍ୟ ଭିତରେ କଳି ପାଇଁ ରାଜ୍ୟର ୨୦ଲକ୍ଷ ପରିବାର ଦୁର୍ଦ୍ଦିନ ଭିତରେ ରହିଛନ୍ତି। ବର୍ତମାନ ଲଗାଣ ବର୍ଷାରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି। ୬ବର୍ଷ ତଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ୨୦୨୨ ସୁଦ୍ଧା କେହି କଚ୍ଚା ଘରେ ରହିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହି ପ୍ରତିଶ୍ରୁତି ପ୍ରତାରଣା ପାଲଟିଛି। ୨ବର୍ଷ ହେବ ଆୱାସ ପ୍ଲସ ପୋର୍ଟାଲ ଅକାମୀ ହୋଇ ପଡ଼ିଛି। ରାଜ୍ୟରେ ବର୍ତମାନସୁଦ୍ଧା ୨୩ଲକ୍ଷ ୮୨ହଜାର ୮୮୪ପରିବାର ପ୍ରଧାନମନ୍ତ୍ରୀ ଆବାସ ବା ବିଜୁ ପକ୍କାଘର ପାଇଥିବା ବିଧାନସଭାରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ମାତ୍ର ସେଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି। ଅନେକ ଘର ତିଆରି ନ ହୋଇ ବିଲ୍ ଉଠିଛି। ଧନୀ ଓ ପକ୍କା ଘର ଥିବା ଲୋକ ଆବାସ ଯୋଜାନରେ ଘର ହାତେଇଛନ୍ତି। ହେଲେ ଲକ୍ଷ ଲକ୍ଷ ଆଦିବାସୀ ଓ ଦଳିତ ପରିବାର ଘର ପାଇ ନାହାନ୍ତି।

ଗତକାଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓଡ଼ିଶାରେ ଆବାସ ଯୋଜନାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇବା ସହିତ ୮ଲକ୍ଷ ଘର ପାଇଁ ଅର୍ଥ ପ୍ରଦାନ କରିବା ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଠାରୁ ଲିଖିତ ପ୍ରତିଶ୍ରୁତି ମାଗିଛନ୍ତି। ଯାହାକି ସଂଘୀୟ ବ୍ୟବସ୍ଥାର ଅସମ୍ମାନ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏପରି ଲିଖିତ ପ୍ରତିଶ୍ରୁତି ମାଗିବାରେ କୌଣସି ଅସୁବିଧା ନାହିଁ। ମାତ୍ର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ପ୍ରତିଶ୍ରୁତି ମାଗିବା ଶୋଭାପାଏ ନାହିଁ। ଆଶ୍ଚର୍ଯ୍ୟର ବିଷୟ ହେଉଛି ବିଜେଡି ଏହା ଉପରେ କାହିଁକି ପ୍ରତିକ୍ରିୟା ରଖିନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ମନୋରଂଜନ ଦାଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର