ବିଧାନସଭାରେ ପ୍ରଧାନମନ୍ତ୍ରୀ ଆବାସ ତାତି

ବିଜେଡି ନେତା କର୍ମୀଙ୍କୁ ଗୃହ ବଣ୍ଟନ ହୋଇଛି : ମୋହନ
ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ : ନରସିଂହ
ଆବାସ ଯୋଜନାରେ ରାଜ୍ୟକୁ କେନ୍ଦ୍ର ପ୍ରଶଂସା କରିଛି : ଅମର

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ବିଜେଡି ସରକାର କେନ୍ଦ୍ର ଯୋଜନାକୁ ହଡ଼ପ କରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୂରୁପଯୋଗ କରି ଭୋଟ୍ ବ୍ୟାଙ୍କ ପାଇଁ ବିଜେଡି ନେତା ଓ କର୍ମୀଙ୍କୁ ଗୃହ ବଣ୍ଟା ଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଘର ପାଇବାରୁ ବଞ୍ଚିତ କରି ସରକାର ଅଯୋଗ୍ୟ ଲୋକଙ୍କୁ ଘର ଦେଉଛନ୍ତି। ଅନିୟମିତତାର ଅଭିଯୋଗ ଆସିଲା ପରେ କେନ୍ଦ୍ରରୁ ଏକ ତଦନ୍ତକାଳୀ ଦଳ ଓଡ଼ିଶା ଆସି ୫ଟି ଜିଲ୍ଲାରେ ତଦନ୍ତ କରିଥିଲେ। ଏହି ସମୟରେ ଅନିୟମିତତା ଦେଖିବାକୁ ପାଇଥିଲେ। ସରକାର ଆବାସ ଯୋଜନାରେ ୩୦ ଲକ୍ଷ ୨୧ ହଜାର ଘର ସମ୍ପୂର୍ଣ୍ଣ କରିଥିଲା ବେଳେ ସେଥିରୁ ମାତ୍ର ୨ ଲକ୍ଷ ୫୨ ହଜାର ବିଜୁ ପକ୍କା ଘର। ଅନ୍ୟ ସବୁ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାକୁ ଆଦୌ ଘର ଦିଆଯାଇ ନାହିଁ। ଓଡ଼ିଶା ସରକାର ପଶ୍ଚିମ ଓଡ଼ିଶା ପ୍ରତି ‌ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ସରକାରଙ୍କ ଏହି ଆଭିମୁଖ୍ୟ ଯୋଗୁ ସ୍ବତନ୍ତ୍ର ରାଜ୍ୟ ପାଇଁ ପଶ୍ଚିମ ଓଡ଼ିଶାରେ ଦାବି ଉଠୁଛି। ସେହିପରି କେନ୍ଦ୍ର ସରକାର ପାଇଖାନା ପାଇଁ ଅର୍ଥ ଦେଉଛନ୍ତି। ବିଦେଶରେ ପ୍ରଧାନମନ୍ତ୍ରୀ ଘୋଷଣା କରୁଛନ୍ତି ଯେ ଭାରତରେ ସବୁ ‌ଲୋକ ପାଇଖାନା ବ୍ୟବହାର କରୁଛନ୍ତି। କିନ୍ତୁ ଯେଉଁ ପାଇଖାନା ନିର୍ମାଣ ହୋଇଛି, ତାହା ଭିତରେ ଜଣେ ମୋଟା ଲୋକ ପଶିଲେ ବାହାରି ପାରିବ ନାହିଁ। ସେହି ପାଇଖାନା ବ୍ୟବହାର ଯୋଗ୍ୟ ହେଉ ନାହିଁ। ମୁଁ ରାଜ୍ୟ ସରକାର ଓ ବିଜେପି ବନ୍ଧୁମାନଙ୍କୁ ଚ୍ୟାଲେଞ୍ଜ୍ କରିବି ଯେ ରାଜ୍ୟର ୫୫% ଘରେ ପାଇଖାନା ବ୍ୟବହାର ହେଉ ନାହିଁ। ପାଇଖାନା ନିର୍ମାଣରେ ମହାଦୁର୍ନୀତି ହୋଇଛି। ଏହାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି।

ଶାସକ ଦଳ ସଭ୍ୟ ଅମର ଶତପଥୀ ମଧ୍ୟ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ କେନ୍ଦ୍ର ସରକାର ଆବାସ ଯୋଜନାରେ ଭଲ କାମ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏହା ବିଜେପି ସଭ୍ୟମାନେ ଜାଣି ନାହାନ୍ତି କି? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ୬୦ ଭାଗ ଥିଲା ବେଳେ ରାଜ୍ୟ ଅଂଶ ୪୦ ପ୍ରତିଶତ। ତେଣୁ ଏହି ଯୋଜନା କେବଳ କେନ୍ଦ୍ର ସରକାରଙ୍କର ବୋଲି କହିବା ସମୀଚିନ ନୁହେଁ।

ସମ୍ବନ୍ଧିତ ଖବର