କରୋନା ଯୋଦ୍ଧାଙ୍କୁ ଅଣଦେଖା : ୧୨୪୩ ଆୟୁଷ ଡାକ୍ତରଙ୍କୁ ଅବହେଳା

ଭୁବନେଶ୍ବର : କରୋନା ବିରୋଧୀ ଯୁଦ୍ଧରେ ଆଗରେ ରହିଛନ୍ତି ଡାକ୍ତର, ନର୍ସ, ପାରାମେଡିକ୍ସ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ, କରୋନା ଯୋଦ୍ଧାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି। ମାତ୍ର ଏହା ଭିତରେ କିଛି କରୋନା ଯୋଦ୍ଧା ରାଜ୍ୟ ସରକାରଙ୍କ ଅବେହଳାର ଶିକାର ହୋଇଛନ୍ତି। ରାଜ୍ୟରେ କାର୍ଯ୍ୟରତ ଅନ୍ୟ ଡାକ୍ତରଙ୍କ ପାଇଁ ସରକାର ଯେଉଁସବୁ ସୁବିଧା ଯୋଗାଇ ଦେଇଛନ୍ତି, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ଅଧୀନରେ ନିଯୁକ୍ତ ଏହି ଆୟୁଷ ଡାକ୍ତରଙ୍କୁ ଏସବୁରୁ ବଞ୍ଚିତ କରାଯାଇଛି। କ‌ରୋନା ଭଳି ମହାମାରୀ ସମୟରେ ଆୟୁଷ ଡାକ୍ତରଙ୍କୁ ଅବହେଳା କରାଯିବାକୁ ନେଇ ସେମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି।

୨୦୦୭ ମସିହାରୁ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ଅଧୀନରେ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଆରମ୍ଭରୁ ୧୪୮୫ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ଏବେ ୧୨୪୩ଜଣ କାର୍ଯ୍ୟରତ ଅଛନ୍ତି। ରାଜ୍ୟର ଅଧିକାଂଶ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ପିଏଚ୍‌ସି ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସିରେ ଏଲୋପ୍ୟାଥିକ ଡାକ୍ତରଙ୍କ ଅଭାବକୁ ପୂରଣ କରିବା ଲାଗି ଏହି ଡାକ୍ତରଙ୍କୁ ନିଯୁକ୍ତ ଦିଆଯାଇଥିଲା। ଏହି ଡାକ୍ତରମାନେ ହସ୍ପିଟାଲର ବହିର୍ବିଭାଗ ସମ୍ଭାଳିବାଠାରୁ ଆରମ୍ଭ କରି ଜରୁରୀ ସେବା ଓ ପ୍ରସବକାଳୀନ ସେବା ମଧ୍ୟ‌ ଯୋଗାଇ ଆସୁଛନ୍ତି। ମାତ୍ର ଏହି ଆୟୁଷ ଡାକ୍ତରଙ୍କୁ ଏ ପର୍ଯ୍ୟନ୍ତ ସ୍ଥାୟୀ କରାଯାଇ ନାହିଁ। ଏଲୋପ୍ୟାଥିକ ଡାକ୍ତରଙ୍କ ସହ ସମାନ ଦରମା ଦେବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ହେଁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଏପରିକି କରୋନାରେ ସାମିଲ ଥିବା ଡାକ୍ତରଙ୍କୁ ରାଜ୍ୟ ସରକାର ଆଗୁଆ ୪ମାସର ଦରମା ଦେଇଥିବା ବେଳେ ଏହି ଆୟୁଷ ଡାକ୍ତରଙ୍କ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ।

ଏବେ କୋଭିଡ ଡ୍ୟୁଟିରେ ମଧ୍ୟ ଏନ୍‌ଏଚ୍‌ଏମ୍‌ ଅଧୀନ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି। ଡାକ୍ତରମାନେ ସଙ୍ଗରୋଧ କେନ୍ଦ୍ର ସମ୍ଭାଳିବା ସହ ଟ୍ରାଭେଲ ହିଷ୍ଟ୍ରି, କେନ୍ଦ୍ରରେ ଥିବା ଲୋକମାନଙ୍କୁ ଔଷଧ ପ୍ରଦାନ କରୁଛନ୍ତି। ଏବେ ପ୍ରବାସୀ ଓଡ଼ିଆମ‌ାନେ ଆସିଥିବା ବେ‌ଳେ ଗାଁକୁ ଯାଇ ସେମାନଙ୍କ ଚିହ୍ନଟ ମଧ୍ୟ କରିବାକୁ ପଡ଼ୁଥିବା କହିଛନ୍ତି ରାଜ୍ୟ ଆୟୁଷ ଡାକ୍ତର ସଂଘର ସଭାପତି ଡା.ଜ୍ୟୋତିରଂଜନ ଗାହାଣ। ତଥାପି ରାଜ୍ୟ ସରକାରଙ୍କ ଆୟୁଷ ଡାକ୍ତରଙ୍କ ପ୍ରତି ଅବହେଳା କରି ଚାଲିଛନ୍ତି। ଦୀର୍ଘ ୧୩ ବର୍ଷ ଚାକିରି କରିବା ପରେ ମଧ୍ୟ ଡାକ୍ତରମାନଙ୍କୁ ସ୍ଥାୟୀ କରାଯାଇ ନାହିଁ। କରୋନା ମହାମାରୀ ମୁକାବିଲା କରୁଥିବା ଆୟୁଷ ଡାକ୍ତରଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦିଅନ୍ତୁ ବୋଲି ଡା. ଗାହାଣ କହିଛନ୍ତି।

ସମ୍ବନ୍ଧିତ ଖବର