ଭିଏଲଡବ୍ଲୁ ସ୍ମିତାରାଣୀ ଆତ୍ମହତ୍ୟା ମାମଲାରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ମିଳିଲା ଜାମିନ

କଟକ: ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ହାଇକୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି | ଜଷ୍ଟିସ ବିଭୂପ୍ରସାଦ ରାଉତରାୟ ଆଜି ରୁପେଶଙ୍କ ଜାମିନ ମଞ୍ଜୁର କରିଥିବାବେଳେ ନିମ୍ନ ଅଦାଲତ ଜାମିନରେ ଛାଡିବା ପାଇଁ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି | ଏହା ସହିତ ଜାମିନରେ ଛାଡ ପାଇବା ପରେ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିବେ ନାହିଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି |

ଏଠାରେ ସୂଚନା ଥାଉ କି ୨୦୧୯ ମସିହା ଅକ୍ଟୋବର ୧୭ ତାରିଖରେ ଯାଜପୁର ଧର୍ମଶାଳାର ଭିଏଲଡବ୍ଲୁ ସ୍ମିତାରାଣୀଙ୍କର ସ୍ଥାନୀୟ ସରପଞ୍ଚଙ୍କ ଗେଷ୍ଟହାଉସରେ ମୃତ୍ୟୁ ହୋଇଥିଲା । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସରେ ସ୍ମିତାରାଣୀଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠିଥିଲା । ଏପରିକି ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟହାଉସକୁ ସ୍ମିତାରାଣୀ କାହିଁକି ଯାଇଥିଲେ ତାହାକୁ ନେଇ ଉଠିଥିଲା ପ୍ରଶ୍ନ । ଆଉ ଏହି ଘଟଣାରେ ରୂପେଶଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଥିଲା । ଆଉ ଅକ୍ଟୋବର ୧୯ ତାରିଖରେ ପ୍ରାଥମିକ ତଦନ୍ତ ପରେ ପ୍ରେମ ସମ୍ବନ୍ଧରୁ ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ସନ୍ଦେହରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଧର୍ମଶାଳା ପୁଲିସ ଗିରଫ କରିଥିଲା | ସ୍ମିତାରାଣୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇଥିବା ଅଭିଯୋଗରେ (ଦଫା ୩୦୬) ଗେଷ୍ଟ ହାଉସ ମାଲିକ ରୂପେଶଙ୍କୁ ଗିରଫ କରାଯାଇଥିଲା ।

କିଏ ରୂପେଶ ଭଦ୍ର
ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିଲେ ନାଣ୍ଡୁ ଓରଫ ରୂପେଶ ଭଦ୍ର। ୨୦୦୭-୦୮ ମସିହା ପର୍ଯ୍ୟନ୍ତ ନାଣ୍ଡୁ ହରିଦାସପୁର ଷ୍ଟେସନରେ ଚା’ ଦୋକାନ ଦେଇଥିଲେ। ସେ ଦୋକାନ ଏବେ ବି ରହିଛି। ପରିବାର ଅନ୍ୟ କେତେକ ସଦସ୍ୟ ସେଠାରେ ନିୟୋଜିତ ରହିଛନ୍ତି। ମାତ୍ର ସେଠାରୁ ଓହରି ଆସି ସେ ହରିଦାସପୁର-ପାରାଦୀପ ରେଳଲାଇନରେ ପେଟି କଣ୍ଟ୍ରାକ୍ଟର ଭାବେ କାମ କରିବା ଆରମ୍ଭ କରିଥିଲେ। ସେଇଠୁ ବଢ଼ିଥିଲା ରୂପେଶଙ୍କ ସାମ୍ରାଜ୍ୟ। କୋଟିକୋଟି ଟଙ୍କାର ବାଲି, ମାଟି, ମୋରମ୍‌ ଭଳି ଲଘୁ ଖଣିଜ ସଂପଦ ବିକ୍ରି ହେଉ କି ଅନ୍ୟ କିଛି ଗୋପନୀୟ କାରବାର କରି ମାତ୍ର ୧୦ ବର୍ଷ ମଧ୍ୟରେ ସେ ବହୁକୋଟି ଟଙ୍କାର ମାଲିକ ବନିଗଲେ। ଏବେ ତାଙ୍କ ନିୟନ୍ତ୍ରଣରେ ଏକ ସିମେଣ୍ଟ କାରଖାନା। ଏଠାରେ ତାଙ୍କର କୋଟି କୋଟି ଟଙ୍କାର କାରବାର ଚାଲିଛି। ଏସବୁ ସମ୍ଭବ ହୋଇଛି ରୂପେଶଙ୍କ ରାଜନୈତିକ ସଂପର୍କ କାରଣରୁ।

ସମ୍ବନ୍ଧିତ ଖବର