ମାଜିଷ୍ଟ୍ରେଟଙ୍କ ଜାଲ୍‌ ଦସ୍ତଖତରେ ଜାମିନ୍‌ କରାଇଦେଲେ, କୋର୍ଟ ଏଏସ୍‌ଆଇଙ୍କ ବିରୋଧରେ ମାମଲା

ବୁଗୁଡ଼ା : ମାଜିଷ୍ଟ୍ରେଟଙ୍କ ଜାଲ୍‌ ଦସ୍ତଖତ କରି ଅଭିଯୁକ୍ତଙ୍କ ଜାମିନ୍‌ କରାଇ ଛାଡ଼ିଦେବା ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ କାର୍ଯ୍ୟରତ ପୁଲିସ ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରା ଏଭଳି କାର୍‌ନାମା କରି ଏବେ ଚର୍ଚ୍ଚାରେ। ଏହା ଜଣାପଡ଼ିବା ପରେ ଆଜି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି l ସୂର୍ଯ୍ୟଙ୍କ ବିରୋରେ ବୁଗୁଡ଼ା କୋର୍ଟର ମାଜିଷ୍ଟ୍ରେଟ ସୋନାଲି ଅପରାଜିତା ଏତଲା ଦେବା ପରେ ପୁଲିସ କେସ ନଂ-୫୮/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନାଧିକାରୀ ରଞ୍ଜନ ବେହେରା ସୂଚନା ଦେଇଛନ୍ତି l
ଅଭିଯୋଗ ଅନୁସାରେ ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗ୍ରାମରେ ପୁତୁରାକୁ ହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ କେସ ନଂ ୪୦/୨୧ରେ ଏକ ମାମଲା ରୁଜୁ କରି ଦାଦା ବାବୁଲା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ତେବେ ଝିଅର ବାହାଘର ଥିବା ଦର୍ଶାଇ ବାବୁଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ଗତ ୧୨ ତାରିଖରେ ଆବେଦନ ଉପରେ ପର କୋର୍ଟରୁ ନିର୍ଦ୍ଦେଶ ବୁଗୁଡ଼ା ଜେଏମ୍‌‌ଏଫ୍‌ସି କୋର୍ଟରେ ପହଞ୍ଚିଲା। ଏହା ଉପରେ ବୁଗୁଡ଼ା ମାଜିଷ୍ଟ୍ରେଟ ଦସ୍ତଖତ କଲା ପରେ ବାବୁଲା ଜାମିନ୍‌ରେ ଯିବା କଥା। କିନ୍ତୁ ଘଟଣା ଦିନ ବୁଗୁଡ଼ା ମାଜିଷ୍ଟ୍ରେଟ ସୋନାଲି ଅପରାଜିତା ଛୁଟିରେ ଥିବାରୁ ଆସିକା କୋର୍ଟର ମାଜିଷ୍ଟ୍ରେଟ ଶର୍ମିଷ୍ଠା ଜେନା ଦାୟିତ୍ୱରେ ଥିଲେ। ତେବେ କୋର୍ଟ ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଏହାକୁ ଦାଖଲ ନକରି ଜାମିନ ନିର୍ଦ୍ଦେଶ ଉପରେ ନକଲି ଦସ୍ତଖତ କରି ପଠାଇ ଦେଇଥିଲେ। ନକଲି ଦସ୍ତଖତରେ ବାବୁଲା ଜେଲ୍‌ରୁ ଜାମିନରେ ଆସିଥିବା ଜଣାପଡ଼ିବା ପରେ ବୁଗୁଡ଼ା ମାଜିଷ୍ଟ୍ରେଟ୍‌ ସୋନାଲି ଅପରାଜିତା ଥାନାରେ ସମ୍ପୃକ୍ତ ଏଏସ୍‌ଆଇଙ୍କ ବିରୋଧରେ ଅଭିଯୋଗ କରିଥିଲେ l ଏସ୍‌ଆଇ କାର୍ତ୍ତିକ ନାୟକ ଘଟଣାର ତଦନ୍ତ ଭାର ନେଇଥିବା ବେଳେ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ତଦନ୍ତ କରି ଫେରିଥିବା ଜଣାପଡ଼ିଛି l ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି l
ସମ୍ବନ୍ଧିତ ଖବର