୧୫ ବର୍ଷରେ ଗଡ଼ିଲାଣି ୮ ମୁଣ୍ଡ, ମରଣଯନ୍ତା ପାଲଟିଛି ବଜ୍ରଗଡ଼ ଛକ : ଲୋକେ କହୁଛନ୍ତି-ବୁଲୁଛି ଅତୃପ୍ତ ଆତ୍ମା

କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ନିକଟସ୍ଥ ବଜ୍ରଗଡ଼ ଛକ ପାଲଟିଛି ମରଣଯନ୍ତା। ଗତ ୧୫ବର୍ଷ ମଧ୍ୟରେ ଏହି ଛକରେ ସଡ଼କ ଦୁର୍ଘଟଣା ଘଟି ପ୍ରାୟ ୮ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ଏପରିକି ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି। ବାରମ୍ବାର ଏହି ଛକରେ ଦୁର୍ଘଟଣା ଘଟୁଥିଲେ ହେଁ ପ୍ରଶାସନ ପକ୍ଷରୁ ଅଦ୍ୟାବଧି ସତର୍କ ସୂଚନା ଫଳକ କିମ୍ବା ଡିଭାଇଡର ବ୍ୟବସ୍ଥା କରାଯାଇ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ପାପଡ଼ାହାଣ୍ଡି-କୋଷାଗୁମୁଡ଼ା ମୁଖ୍ୟ ରାସ୍ତାରେ ପଡ଼ିଥାଏ ବ୍ରଜଗଡ଼ ଛକ। ଏହି ଛକ ଦେଇ କୋଣ୍ଡାପୁରୀ, କୋଷାଗୁମୁଡ଼ା, ଟେମରା, ଛେଳିପଦର, ପଣ୍ଡୁଗୁଡ଼ା, ରାଜୋଡ଼ା, ଆଟିଗାଁ, ବ୍ରଜଗଡ଼, କୋଡ଼ିଙ୍ଗା, ବି.ଏମ ସେମଳା, ବାକଟିଗୁଡ଼ା, ବରଗାଁ, କେରଲା, ବିଞ୍ଜିଲି, ସନ୍ତୋଷପୁର ଭଳି ଅନେକ ଗ୍ରାମର ହଜାର ହଜାର ଲୋକ ପ୍ରତିଦିନ ନବରଙ୍ଗପୁର ଓ ପାପଡାହାଣ୍ଡି ଯାଇଥାନ୍ତି। କିନ୍ତୁ ଏହି ଛକରେ ୨୦୦୫ ମସିହାରୁ ବର୍ତ୍ତମାନ ସୁଦ୍ଧା ଅନେକ ଦୁର୍ଘଟଣା ଘଟି ପ୍ରାୟ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଅଞ୍ଚଳବାସୀ କହିଛନ୍ତି। ବିଶେଷ କରି ଗତ ୩ମାସ ମଧ୍ୟରେ ଦୁର୍ଘଟଣା ଘଟି ୩ଜଣଙ୍କ ମୃତ୍ୟୁ ଘଟିବା ପରେ ଏହି ଛକ ଦେଇ ଗାଡ଼ିରେ ଯିବା ସମୟରେ ଲୋକେ ଭୟ କରୁଛନ୍ତି।

ଏହି ଛକରେ ଏକ ଅତୃପ୍ତ ଆତ୍ମା ବୁଲୁଥିବା ଦେଖିଥିବା ସ୍ଥାନୀୟ କିଛି ବାସିନ୍ଦା ଦୃଢ଼ତାର ସହିତ ପ୍ରକାଶ କରିଛନ୍ତି। ଏପରିକି ରାତିରେ ଏହି ଛକ ଦେଇ ଯିବା ସମୟରେ ଅଧିକାଂଶ ବାଇକ୍‌ର ଲାଇଟ୍ କିଛି ସମୟ ପାଇଁ ବନ୍ଦ ହୋଇଯିବା ପରେ ପୁଣି ଲାଗି ଯାଉଥିବା ଲୋକେ କହିଛନ୍ତି। ଅନ୍ୟପଟେ ଏହି ଛକରେ ଦୁର୍ଘଟଣା ଘଟି ପ୍ରାୟ ୮ଜଣଙ୍କ ମୃତ୍ୟୁ ଘଟିବା ସହିତ ଅନେକ ଆହତ ହେବା ପରେ ମଧ୍ୟ ସତର୍କ ସୂଚନା ଫଳକ କିମ୍ବା ଡିଭାଇଡର ବ୍ୟବସ୍ଥା କରାନଯିବା ପରିତାପର ବିଷୟ ବୋଲି ଅଞ୍ଚଳବାସୀ କ୍ଷୋଭର ସହିତ ପ୍ରକାଶ କରିଛନ୍ତି। ଆଉ କେତେ‌ ଲୋକଙ୍କ ଜୀବନ ଯିବା ପରେ ପ୍ରଶାସନ ଚେତିବ ବୋଲି ମଧ୍ୟ ସାଧାରଣ ଜନତା ପ୍ରଶ୍ନ କରିଛନ୍ତି। ଶୀଘ୍ର ଏହି ଛକରେ ଡିଭାଇଡର ସହିତ ସତର୍କ ସୂଚନା ଫଳକ ଲଗାଇବା ଦିଗରେ ପ୍ରଶାସନ ଦୃ‌ଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର