ଶିମିଳିସାହିଠାରୁ ବାଲଣ୍ତା ଆର୍‌ଡି ରାସ୍ତା ନିର୍ମାଣ: ଅବଧିର ବର୍ଷେ ପରେ ବି ୭୦ ପ୍ରତିଶତ ବାକି

ଫଳକ ଲଗାଇ ଚୁପ୍‌ ବସିଛନ୍ତି ନେତା ଓ ପ୍ରଶାସନ

ନୂଆଗାଁ: ନୂଆଗାଁ ବ୍ଲକ୍‌ ଜାକେଡ଼ା ପଞ୍ଚାୟତରୁ ପାରାଢିପି ପଞ୍ଚାୟତକୁ ରାସ୍ତା ସଂଯୋଗୀକରଣ ପାଇଁ ୨୦୨୨ ଏପ୍ରିଲ ମାସରେ ଜନସାଧାରଣଙ୍କୁ ନେତା ଓ ପ୍ରଶାସନ ଯେଉଁ ସ୍ବପ୍ନ ଦେଖାଇଥିଲେ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ। ୮ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଠିକାସଂସ୍ଥାକୁ ୧ ବର୍ଷ ପର୍ଯ୍ୟନ୍ତ ସମୟସୀମା ଦିଆଯାଇଥିବା ବେଳେ ବର୍ତ୍ତମାନ ଏହାର ଅବଧି ୧ ବର୍ଷ ହେଲା ଶେଷ ହୋଇଯାଇଥିଲେ ସୁଦ୍ଧା ଠିକାସଂସ୍ଥା ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାର ନାଁଗନ୍ଧ ଧରୁନଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ନୂଆଗାଁ ବ୍ଲକ୍‌ ଜାକେଡ଼ା ପଞ୍ଚାୟତ ଶିମିଳିସାହି ପୂର୍ତ୍ତ ବିଭାଗ ରାସ୍ତାଠାରୁ ବାଲଣ୍ତା ଆର୍‌ଡି ରାସ୍ତା ଭାୟା ପୋକଶୁଙ୍ଗା ଓ ଅଭୟପୁର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୮.୮୦ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ୩ କୋଟି ୭୬ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଯାହାକି ୨୦୨୨ ମସିହା ମାର୍ଚ୍ଚ ମାସଠାରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ମସିହା ମାର୍ଚ୍ଚ ମାସ ସୁଦ୍ଧା ସରିବା କଥା। କିନ୍ତୁ ଇତିମଧ୍ୟରେ କାର୍ଯ୍ୟର ଅବଧି ୧ ବର୍ଷ ହେଲା ଶେଷ ହୋଇ ସାରିଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ କିନ୍ତୁ ଆଗେଇବାର ନାଁ ଧରୁନି। ଯେତେବେଳେ ବି ସ୍ଥାନୀୟ ଲୋକମାନେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରୁଛନ୍ତି ଦାୟିତ୍ବରେ ଥିବା ଯନ୍ତ୍ରୀ ଠିକାଦାରଙ୍କ ଉପରେ ଦୋଷ ଲଦିଦେଉଛନ୍ତି। ତେବେ ପ୍ରଶାସନ ଏବଂ ଠିକାଦାରଙ୍କ ଏଭଳି ମନମୁଖୀ କାର୍ଯ୍ୟରେ ଜନସାଧାରଣ ଅତିଷ୍ଠ ହେଉଥିବା ଜଣାପଡ଼ିଛି। ଏହି ରାସ୍ତା ନିର୍ମାଣ ହେବା ପୂର୍ବରୁ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଏହାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ।

ହେଲେ ଏହି ରାସ୍ତା ଅବଧି ଶେଷ ହେବା ପରେ ମଧ୍ୟ କାର୍ଯ୍ୟ ଶେଷ ହେଉନଥିବା ଦ୍ବାରା କେବଳ ନେତାମାନେ ଫଳକ ଲଗାଇ ବାହାବା ନେଉଥିବା ବେଳେ ନିର୍ମାଣ କାର୍ଯ୍ୟ ପ୍ରତି ଗୁରୁତ୍ବ ନଦେବା କିମ୍ବା ସେମାନଙ୍କ କଥାକୁ ବିଭାଗୀୟ ଅଧିକାରୀ ଏବଂ ଠିକାସଂସ୍ଥା ଗୁରୁତ୍ବ ଦେଉନଥିବା ଭଳି ଅଭିଯୋଗ ହେଉଛି। ବର୍ଷାଦିନେ ଏହି ରାସ୍ତାରେ ଯିବାଆସିବା କରିବା ସମୟରେ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏହି ରାସ୍ତା ନିର୍ମାଣ ନହେବା ଦ୍ବାରା ସେମାନଙ୍କଠାରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାଠାରୁ ଆରମ୍ଭ କରି ବେପାର ବଣିଜ ପର୍ଯ୍ୟନ୍ତ ସବୁଥିରେ ବାଧା ଉପୁଜୁଛି। ତେବେ ଏନେଇ ନୂଆଗାଁ ଆର୍‌ଡି ବିଭାଗୀୟ ଯନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ପଚାରିବାରେ, ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ଶେଷ ହୋଇଥିବା ବେଳେ ଆହୁରି ଅନେକ କାର୍ଯ୍ୟ ବାକି ରହିଛି। ଆସନ୍ତା ୪ ମାସ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର