ବଳିଆକୁ ନିମୋନିଆ, ଭେଣ୍ଟିଲେଟରରେ ଭର୍ତ୍ତି

କଟକ : ବହୁଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଭିତରୁ ବଳିଆ ଅବସ୍ଥା ଗତକାଲି ରାତିରୁ ସଙ୍କଟାପନ୍ନ ହୋଇଛି। ନିମୋନିଆ ସହ ଛାତିରେ ସଂକ୍ରମଣ, ଶ୍ବାସକ୍ରିୟାରେ ଅସୁବିଧା ଆଦି ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ବିଶେଷଜ୍ଞ କମିଟି ନିଷ୍ପତ୍ତି ଅନୁସାର ଗତକାଲି ରାତିରୁ ତାକୁ ଆଇସିୟୁ ଭେଣ୍ଟି‌ଲେଟରକୁ ସ୍ଥାନାନ୍ତର କରାଯାଇଛି।

ଭେଣ୍ଟିଲେଟରରେ ରଖାଯିବା ପରେ ଆଜି ତା’ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିସହିତ ଜଗା-ବଳିଆଙ୍କୁ ସାକ୍ଷାତ କରିବା ଉପରେ କଟକଣା ଲଗାଯାଇଛି। ବିନା ଅନୁମତିରେ ଓ ଏକ ସମୟରେ ଜଣକରୁ ଅଧିକ ଲୋକଙ୍କୁ ଭିତରକୁ ନଛାଡ଼ିବା ପାଇଁ ସ୍ବାସ୍ଥ୍ୟ ସଚିବ ଏସ୍‌ସିବିକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଗା ସୁସ୍ଥ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରକାଶ କରିଥିବାବେଳେ ବଳିଆକୁ ମଝିରେ ମଝିରେ ଜ୍ବର ଆସୁଥିବା ଜଣାପଡ଼ିଛି। ଛାତି ଏକ୍ସ-ରେ ରିପୋର୍ଟରେ ବଳିଆକୁ ନି‌ମୋନିଆ ହୋଇଥିବା ଜଣାପଡ଼ିଛି। ଆସନ୍ତାକାଲି ଏସ୍‌ସିବି ପକ୍ଷରୁ ଦିଲ୍ଲୀ ଏମ୍‌ସ କର୍ତ୍ତୃପକ୍ଷଙ୍କ ସହ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଚର୍ଚ୍ଚା କରାଯାଇ ପରବର୍ତ୍ତୀ ଚିକିତ୍ସା ସଂପର୍କରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ତେବେ, ହଠାତ୍‌ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବଳିଆକୁ ନେଇ ଏସ୍‌ସିବି କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡ଼ିଛନ୍ତି।

ସୂଚନାଯୋଗ୍ୟ, ଜଗା-ବଳିଆ ଗତମାସ ୮ତାରିଖରେ ଦିଲ୍ଲୀ ଏମ୍‌ସରୁ ଆସି କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେବେଠାରୁ ଜଗାର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହିଥିବା ବେଳେ ବଳିଆ ସ୍ବାସ୍ଥ୍ୟାବସ୍ଥାରେ ବାରମ୍ବାର ସମସ୍ୟା ଦେଖାଯାଉଥିଲା।

ସମ୍ବନ୍ଧିତ ଖବର