ରାଜ୍ୟ ପାଇଁ ଐତିହାସିକ ଦିନ : ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା

ରାଜ୍ୟ କ୍ୟାବିନେଟ୍‌ରେ ଲାଗିଲା ମୋହର
ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସାମିଲ କରାଯିବ
ଗାୟନ ଅବଧି, ସ୍ବର, ଶୈଳୀ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରସ୍ତୁତ କରିବ
ଗାନ ବେଳେ ସମସ୍ତେ ଛିଡ଼ା ହେବେ; ଶିଶୁ,
ବୟସ୍କ, ଗର୍ଭବତୀ, ଭିନ୍ନକ୍ଷମ ବାଦ୍

ଭୁବନେଶ୍ବର : ରାଜ୍ୟବାସୀଙ୍କ ଦୀର୍ଘ ଦିନର ଦାବିକୁ ରାଜ୍ୟ ସରକାର ଶେଷରେ ସ୍ବୀକୃତି ଦେଇଛନ୍ତି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରାଯାଇଛି। ଆଜି ରାଜ୍ୟ କ୍ୟାବିନେଟର ଏକ ସ୍ବତନ୍ତ୍ର ଅଧିବେଶନରେ ଭାଷା ଓ ସଂସ୍କୃତି ବିଭାଗର ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ଲାଗିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ କ୍ୟାବିନେଟ୍ ବୈଠକ ଭିଡିଓ କନଫରେନ୍ସିଂ ଯୋଗେ ଅନୁଷ୍ଠିତ ହୋଇଥିଲା। ବୈଠକର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସଂପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଜ୍ୟବାସୀଙ୍କୁ ଅବଗତ କରିଥିଲେ। କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଗତ ମେ’ ୩୦ ତାରିଖ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ଓଡ଼ିଆ ଜାତିକୁ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ଆହ୍ବାନ ଦେଇଥିଲେ। ଏହି ଐତିହାସିକ ମୁହୂର୍ତକୁ ଚିରସ୍ଥାୟୀ କରିବା ଲାଗି ତଥା ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ଆଜି କ୍ୟାବିନେଟ୍ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ଭାବରେ ସରକାରୀ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ଆଜିର ଦିନକୁ ଓଡ଼ିଶା ପାଇଁ ଏକ ଐତିହାସିକ ଦିନ ବୋଲି ସରକାରଙ୍କ ପକ୍ଷରୁ ବର୍ଣ୍ଣନା କରାଯାଇଛି।

କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ଏହି ସଙ୍ଗୀତ ଗାୟନର ଅନୁମୋଦିତ ସ୍ବର, ଶୈଳୀ ତଥା ରେକର୍ଡିଂ ରାଜ୍ୟ ସରକାରଙ୍କ ଲୋକସଂପର୍କ ବିଭାଗ ଦ୍ବାରା କରାଯିବ। ଏହି ରେକର୍ଡିଂ ଅନୁସାରେ ଏହି ଗାୟନର ଅବଧି, ସ୍ବର ଓ ଶୈଳୀ ନିର୍ଧାରିତ ହେବ। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ବିଧାନସଭାର ଅଧିବେଶନ, ଅନ୍ୟାନ୍ୟ ସ୍ବତନ୍ତ୍ର ଭାବରେ ଆୟୋଜିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେଏହି ସଙ୍ଗୀତର (ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ) ପରିବେଷଣ କରାଯିବ। ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ ବା ବାଦ୍ୟଯନ୍ତ୍ର ସଙ୍ଗୀତ ସହିତ ଏହାକୁ ଗାନ କରାଯାଇପାରିବ।

ସରକାର ଏକଥା ବି କହିଛନ୍ତି ଯେ ଉଦ୍‌ଘାଟନୀ, ଉଦ୍‌ଯାପନୀ, ଉଦ୍‌ବୋଧନୀ ସଙ୍ଗୀତ ଭାବରେ ଏହା ଗାନ କରାଯିବା ସମୟରେ ଏହି ରାଜ୍ୟ ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ସମସ୍ତେ ଆରମ୍ଭରୁ ଶେଷ ଯାଏ ଛିଡ଼ା ହୋଇ ରହିବେ। ହେଲେ ବୟସ୍କ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀ ମହିଳା ଯେଉଁମାନେ ନିଜର ଅକ୍ଷମତା କାରଣରୁ ଛିଡ଼ା ହୋଇପାରିବେ ନାହିଁ, ସେମାନେ ନମ୍ର ଭାବରେ ବସିରହି ଏହି ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ କରିବେ। ଶିଶୁମାନଙ୍କୁ ମଧ୍ୟ ଏହି ସଙ୍ଗୀତ ପରିବେଷଣ ସମୟରେ ଛିଡ଼ା ହେବାରୁ ବାଦ୍ ଦିଆଯାଇଛି।

କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ଯେ ଏହି ସଙ୍ଗୀତ ପୁଲିସ ବ୍ୟାଣ୍ଡ, ବଂଶୀ, ସୀତାର ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯିବ। ଏହି ସଙ୍ଗୀତର ପ୍ରଚାର, ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସର୍ଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବ ନାହିଁ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଥିବା କୁହାଯାଇଛି।

ସରକାର ଆହୁରି କହିଛନ୍ତି ଯେ ବନ୍ଦେ ଉତ୍କଳ ଜନନୀ ହେଉଛି କୀର୍ତିମାଳିନୀ ଉତ୍କଳ ଜନନୀର ଆବାହନୀ ସଙ୍ଗୀତ। ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ସଙ୍ଗୀତ। ନୈସର୍ଗିକ ପ୍ରାକୃତିକ ଶୋଭା, ଅନନ୍ୟ କୀର୍ତିରାଜି, ଉତ୍କୃଷ୍ଟ କଳା ବିମଣ୍ଡିତ ଉତ୍କଳ ଜନନୀର ଜୟଗାନ ଏହି ସଙ୍ଗୀତକୁ ଅମୃତମୟ କରିବା ସହିତ କୋଟି କୋଟି ଓଡ଼ିଆଙ୍କୁ ଜାତି ପ୍ରେମର ସୁଦୃଢ଼ ବନ୍ଧନରେ ବାନ୍ଧି ରଖିବା ସହ ଓଡ଼ିଶାର ଗୌରବକୁ ବିଶ୍ବବ୍ୟାପୀ କରିବା ପାଇଁ ପ୍ରେରଣା ଦେଇଛି। ଦେଶାତ୍ମବୋଧ ଓ ଜାତୀୟତାବୋଧ ଏହି ସଙ୍ଗୀତର ଅନ୍ତଃସ୍ବର। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ମେ’ ୩୦ ତାରିଖରେ ଓଡ଼ିଆ ଜାତି ରାଜ୍ୟରୁ ଆରମ୍ଭ କରି ଦେଶ ବିଦେଶ ପର୍ଯ୍ୟନ୍ତ ଉତ୍କଳ ଜନନୀର ଜୟଗାନ କରିଛି। କେବଳ ସେତିକି ନୁହେଁ, ୧୦ଲକ୍ଷରୁ ଅଧିକ ଭିଡିଓ ମାଧ୍ୟମରେ ଏହି ବିରଳ ମୁହୂର୍ତକୁ ସତେଜ ରଖିବା ଲାଗି ସରକାରଙ୍କ ନିକଟକୁ ଯେଭଳି ପଠାଇଛନ୍ତି, ସେଥିପାଇଁ କ୍ୟାବିନେଟ୍ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି। ବର୍ତମାନର କରୋନା ଭଳି କଠିନ ପରିସ୍ଥିତିରେ ଏହି ସଙ୍ଗୀତ ଓଡ଼ିଶାର ସଂକଳ୍ପକୁ ଅଧିକ ଦୃଢ଼ କରିବା ସହିତ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି।

ରାଜ୍ୟ କ୍ୟାବିନେଟ୍ ଏହି ଅବସରରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ସରକାର ଆହୁରି କହିଛନ୍ତି ଯେ କାନ୍ତକବିଙ୍କର ଏହି କାଳଜୟୀ ରଚନା ବନ୍ଦେ ଉତ୍କଳ ଜନନୀ ୧୯୧୨ ମସିହାରୁ ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଗାନ କରାଯାଉଛି। ୧୯୩୬ ଏପ୍ରିଲ ପହିଲାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମୟରୁ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତ ଭାବରେ ପ୍ରତିଟି ଓଡ଼ିଆର ହୃଦୟ ଓ ଭାବନାରେ ରହିଛି। ୧୯୯୪ ମସିହା ନଭେମ୍ବର ୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ତତ୍କାଳୀନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବନ୍ଦେ ଉତ୍କଳ ଜନନୀକୁ ବିଧାନସଭାର ପ୍ରତି ଅଧିବେଶନର ଶେଷ ଦିବସରେ ଉଦ୍‌ଯାପନୀ ସଙ୍ଗୀତ ଭାବେ ଗାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏବେ ବି ତାହା ଜାରି ରହିଛି। ଏହା ପରବର୍ତୀ ସମୟରେ ଏହି ସଙ୍ଗୀତକୁ ମାନ୍ୟତା ଦେବା ନେଇ ଅନେକ ବିଚାର ବିମର୍ଶ ହୋଇଛି। ରାଜ୍ୟ ସରକାର ଏକାଧିକ ନିର୍ଦେଶାବଳି ମଧ୍ୟ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୧୩ ଡିସେମ୍ବର ୨୮ ତାରିଖ ଦିନ ପୁରୀ ଜିଲ୍ଲା ରାମଚଣ୍ଡୀଠାରେ ବିଧିବଦ୍ଧଭାବେ ଉତ୍କଳ ସମ୍ମିଳନୀ ସଭାରେ ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। କିନ୍ତୁ ୧୯୧୨ରୁ ଏହା ଗାନ କରାଯାଇଆସୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର