ଭଡ଼ାରେ ଲାଗିଛି ବ୍ୟାଙ୍କ୍ ଆକାଉଣ୍ଟ, ମାସକୁ ଆକାଉଣ୍ଟ ଭଡ଼ା ୫୦୦ରୁ ୧ ହଜାର ଟଙ୍କା

ସାଇବର୍ ଅପରାଧୀଙ୍କ ଜାଲରେ ଫସିଛନ୍ତି ଯାଜପୁର, ଗୁରୁଗାଓଁ, ୟୁପି, ପଶ୍ଚିମବଙ୍ଗ ବାସିନ୍ଦା

କଟକ : ଝାଡ଼ଖଣ୍ଡ ଜାମତାରାର ସାଇବର୍ ଅପରାଧ ଗ୍ୟାଙ୍ଗ୍ ସହିତ ଅଣ୍ଡରଓାର୍ଲଡ୍ ଡନ୍‌ଙ୍କ ଆଡ୍ଡାରେ ବି ବ୍ୟାଙ୍କ୍ ଆକାଉଣ୍ଟ ଭଡ଼ାରେ ଲାଗିଛି । ବ୍ୟାଙ୍କ ଆକାଉଣ୍ଟ ପିଛା ମାସିକ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଭଡ଼ା ଟଙ୍କା ବ୍ୟାଙ୍କ ଗ୍ରାହକଙ୍କୁ ଦିଆଯାଉଛି। ଦିଲ୍ଲୀର ଗୁରଗାଓଁ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଲୋକଙ୍କ ପରିଚୟପତ୍ର ବ୍ୟବହାର କରି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଉଛି। ଯାଜପୁରରେ ବି ଏଭଳି ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯାଇଥିବା କଟକ କମିସନରେଟ୍ ପୁଲିସ ପ୍ରମାଣ ପାଇଛି। ଏଭଳି ବ୍ୟାଙ୍କ ଆକାଉଣ୍ଟ ଭଡ଼ାରେ ଲାଗିବା କେଳେଙ୍କାରୀ ଘଟଣା ଏବେ କମିସନରେଟ୍ ପୁଲିସର ଚିନ୍ତା ବଢ଼ାଇ ଦେଇଛି।

କଟକରେ ବ୍ୟାଙ୍କ୍ ଆକାଉଣ୍ଟ ଭଡ଼ାରେ ଲାଗିବା ଘଟଣା ୨୦୧୭ ଅଗଷ୍ଟ ୧୧ ତାରିଖରେ ପ୍ରଥମେ ସାମ୍‌ନାକୁ ଆସିଥିଲା। ଛତିଶଗଡ଼ ରାଜନନ୍ଦନଗାଓଁ ଜିଲ୍ଲାର ଜଣେ ବୃଦ୍ଧା ସୀମା ଖୁବଚନ୍ଦଣୀଙ୍କୁ ଅଣ୍ଡରଓାର୍ଲଡ୍ ଡନ୍ ପରିଚୟରେ ସାଇବର୍ ଅପରାଧୀ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲେ। ସୀମା ୧ ଲକ୍ଷ ୬୦ ହଜାର ଟଙ୍କା ଯେଉଁ ଆକାଉଣ୍ଟରେ ପଠାଇଥିଲେ ଉକ୍ତ ଆକାଉଣ୍ଟ ସିଡିଏ ସେକ୍ଟର ୯ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରେ ସୋନୁ ସିଂହ ନାମକ ଭୂତ ଆକାଉଣ୍ଟ ଖୋଲାଯାଇଥିଲା। ଏହି ମାମଲାରେ ସିଡିଏରେ ରହୁଥିବା ବିହାରର ଧୀରଜ ରାଓ ସମେତ ଭୁବନେଶ୍ବର ସ୍ବପ୍ନସଜିତ ପ୍ରଧାନ ଏବ˚ ବିଡ଼ାନାସୀରେ ରହୁଥିବା କେନ୍ଦ୍ରାପଡ଼ାର ଜନ୍ମେଜୟ ଦାସକୁ ଗିରଫ କରାଯାଇଥିଲା। ଏମାନଙ୍କ ନିକଟରୁ ୧୫୦ଟି ଏଟିଏମ୍‌ କାର୍ଡ ଜବତ ହୋଇଥିଲା। ଧୀରଜ ରାଓ ଯାଜପୁରରେ ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ ଭଡ଼ାରେ ଆଣି ଅଣ୍ଡରଓାର୍ଲଡ ଡନଙ୍କ ଟଙ୍କା ଜମା ହେଉଥିଲା।

ଦ୍ବିତୀୟ ଘଟଣା ୨୦୨୧ ଜୁଲାଇ ୮ ତାରିଖରେ ସାମନାକୁ ଆସିଥିଲା। ଜଗତପୁର ନଜରପୁରର ଦିଲ୍ଲୀପ କୁମାର ସାହୁଙ୍କ ଜମିରେ ଜିଓ ଟାୱାର ବସାଇବର ପ୍ରଲୋଭନ ଦେଖାଇ ୩୯ ଲକ୍ଷ ୧୧ ହଜାର ୮୭୦ ଟଙ୍କା ଠକେଇ ମାମଲାରେ ଗିରଫ ସାଇବର୍ ଠକ ଅନିଲେଶ ଆନନ୍ଦ ଏବଂ ଅଙ୍କିତ ରାୟ ବି ଯାଜପୁରର ଜଣେ ବ୍ୟକ୍ତିଙ୍କ ପରିଚୟପତ୍ର ଚୋରି କରି ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍ ନିକଟରୁ ଜବତ ୧୫ଟି ବ୍ୟାଙ୍କ୍ ପାସ୍‌ବୁକ ମଧ୍ୟରୁ ଗୋଟିଏ ଯାଜପୁର ଜିଲ୍ଲାର ଥିଲା। ପୁଲିସ ସମ୍ପୃକ୍ତ ଯାଜପୁରର ବ୍ୟକ୍ତିଙ୍କୁ ପଚରାଉଚରା ପରେ ତାଙ୍କୁ ଜଣେ ବ୍ୟକ୍ତି ଋଣ କରାଇ ଦେବାର ପ୍ରଲୋଭନ ଦେଖାଇ ଆଧାର ଓ ପ୍ୟାନ୍ ନମ୍ବର ନେଇଯାଇଥିବା ଜଣାପଡ଼ିଥିଲା। ଏହି ପରିଚୟପତ୍ର ସିଧା ପଶ୍ଚିମବଙ୍ଗର ଏକ ସାଇବର ଅପରାଧ ଆଡ୍ଡାରେ ପହଞ୍ଚିଥିଲା।

ଏବେ ଜାମତାରା ଗ୍ୟାଙ୍ଗ୍‌ରେ ସମାନ ଘଟଣା ଘଟୁଥିବା ଜଣାପଡ଼ିଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ଅତିଥି ଅଧ୍ୟାପକ ଡକ୍ଟର ଜୟଦେବ ଜେନାଙ୍କ ଟଙ୍କା ଠକେଇ ଲିଙ୍କ୍‌ରେ କମିସନରେଟ୍ ପୁଲିସ ହାତରେ ଗିରଫ ଜାମତାରା ଗ୍ୟାଙ୍ଗ୍‌ର ସଦସ୍ୟ ତଥା ପୂର୍ବତନ ଆଇଟିଆଇ ଶିକ୍ଷକ ଦୀପକ କୁମାର ସାହୁ ନିକଟରୁ ଜବତ ହୋଇଥିବା ୩୬ଟି ବ୍ୟାଙ୍କ୍ ଆକାଉଣ୍ଟର ଏଟିଏମ୍ କାର୍ଡ ନିଜ ନାଁରେ ନଥିବା କୁହାଯାଉଛି। ୧୬ଟି ବ୍ୟାଙ୍କରେ ଏହି ଆକାଉଣ୍ଟ ଖୋଲାଯାଇଛି। ଏହି ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ସାଇବର୍ ଥାନା ପୁଲିସ ପକ୍ଷରୁ ଚିଠି ଲେଖାଯାଇ ଏଟିଏମ କାର୍ଡ କେଉଁ ବ୍ୟକ୍ତିଙ୍କ ନାଁରେ ଇସ୍ୟୁ କରାଯାଇଛି, ସେ ନେଇ ତଥ୍ୟ ମଗାଯାଇଛି। ସୂଚନା ଅନୁସାରେ, ରାଜ୍ୟ ବାହାର ସମେତ ଓଡ଼ିଶାର ଯାଜପୁର ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଶୂନ୍ୟ ବାଲାନ୍ସରେ ଖୋଲାଯାଇଥିବା ଜନଧନ ଆକାଉଣ୍ଟଧାରୀଙ୍କୁ ସାଇବର୍ ଅପରାଧୀମାନେ ମୁଖ୍ୟତଃ ଟାର୍ଗେଟ୍ କରୁଛନ୍ତି। ମାସିକ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ କମିସନ ଲୋଭ େଦଖାଇ ଏଜେଣ୍ଟ ଏହାକୁ ଜାମତାରା ଗ୍ୟାଙ୍ଗ ଓ ଡନଙ୍କୁ ଚାଲାଣ କରୁଛନ୍ତି। ଟଙ୍କା ଠକେଇ ସମୟର ଭଡ଼ାରେ ଆଣିଥିବା ଆକାଉଣ୍ଟକୁ ଟଙ୍କା ଟ୍ରାନ୍‌ସଫର୍ କରାଯାଉଛି। ପରେ ଭଡ଼ାରେ ଆଣିଥିବା ଏଟିଏମ୍ କାର୍ଡ ବ୍ୟବହାର କରି ଟଙ୍କା ଉଠାଣ ହେଉଛି। ଅନ୍ୟ ଏକ କୌଶଳ ହେଉଛି ଋଣ କରାଇଦେବା ଆଳରେ ଅଭାବୀ ଲୋକଙ୍କଠାରୁ ପରିଚୟପତ୍ର ଆଣି ସେମାନଙ୍କ ଅଗୋଚରରେ ଡିଜିଟାଲ୍ ଆକାଉଣ୍ଟ ଖୋଲାଯାଉଛି। କରୋନା ସମୟରେ ଅନେକ ଜାତୀୟ ବ୍ୟାଙ୍କ ଘରେ ରହି ଗ୍ରାହକ ଅନଲାଇନରେ ଡିଜିଟାଲ୍ ସଂଚୟ ଖାତା ଖୋଲିବାର ସୁବିଧା ଦେଇଛନ୍ତି। ବ୍ୟାଙ୍କ୍ ଅନଲାଇନରେ କେଵାଇସି ତୁରନ୍ତ ମାଗୁନାହିଁ। କେଵାଇସି ଜମା କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଥାଏ। କେଵାଇସି ଜମା କରିବା ଭିତରେ ଯେଉଁ ସମୟ ରହୁଛି, କୌଶଳକ୍ରମେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଉକ୍ତ ଅନଲାଇନ୍‌ ଆକାଉଣ୍ଟକୁ ସାଇବର୍ ଅପରାଧୀ ଟ୍ରାନସଫର‌୍‌ କରୁଛନ୍ତି।

ସମ୍ବନ୍ଧିତ ଖବର