କରୋନା କଟକଣାକୁ ଦୃଷ୍ଟିରେ ରଖି ସକାଳ ୧୦ଟାରୁ ଅପରାହ୍ନ ୨ଟା ଯାଏ ଖୋଲାରହିବ ରାଜ୍ୟରେ ଥିବା ସବୁ ବ୍ୟାଙ୍କର ଶାଖା

ଭୁବନେଶ୍ବର : କରୋନା ଭୂତାଣୁ ପ୍ରଭାବରେ ରାଜ୍ୟରେ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ଲାଗି ପଦକ୍ଷେପ ଗ୍ରହଣ କରୁଥିବା ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍‌ବିସି)କୁ ଚିଠି ଲେଖି କାରବାର ସ୍ବାଭାବିକ ଭାବେ ଜାରି ରଖିବାକୁ କୁହାଯାଇଛି।

ରାଜ୍ୟ ସରକାର ଜଣାଇଛନ୍ତି ଯେ ରାଜ୍ୟରେ ଥିବା ସବୁ ବ୍ୟାଙ୍କର ଶାଖାଗୁଡ଼ିକ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାରହିବ। କୌଣସି ପରିସ୍ଥିତିରେ ଦିନ ୨ଟା ପୂର୍ବରୁ କିମ୍ବା କୌଣସି କାର୍ଯ୍ୟ ଦିବସରେ ବ୍ୟାଙ୍କ ଶାଖା ବନ୍ଦ ହୋଇପାରିବ ନାହିଁ। ସାଧାରଣତଃ ବ୍ୟାଙ୍କଗୁଡ଼ିକ ସକାଳ ୧୦ଟାରେ ଖୋଲି ୪ଟାରେ ବନ୍ଦ ହେଉଥିଲା। ମାତ୍ର କରୋନା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତି ଯୋଗୁଁ ବ୍ୟାଙ୍କ ଶାଖାର କାର୍ଯ୍ୟ ସମୟକୁ କମ୍ କରାଯାଇଛି। ଏଟିଏମ୍ ଯେଭଳି ସ୍ବାଭାବିକ ଭାବେ କାର୍ଯ୍ୟ କରିବ ‌ସେଥିପାଇଁ ନିୟମିତ ବ୍ୟବଧାନରେ ଏଟିଏମ୍‌‌ରେ ଟଙ୍କା ଭର୍ତ୍ତି କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।

ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନଗଦ ଟଙ୍କା ପରିବହନ କରିବା ଲାଗି ପୁଲିସ ସୁରକ୍ଷା ‌ପାଇଁ ଆବେଦନ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ବ୍ୟାଙ୍କକୁ କାର୍ଯ୍ୟ କରିବା ଲାଗି ଆସୁଥିବା କର୍ମଚାରୀମାନଙ୍କୁ ଶାଖା ପ୍ରବନ୍ଧକ ଏକ ସ୍ବତନ୍ତ୍ର ଫର୍ମାଟ୍‌ରେ ପାସ୍ ଜାରି କରିବେ ଯାହାକୁ କର୍ମଚାରୀମା‌ନେ ଯାତ୍ରା କରିବା ସମୟରେ ପୁଲିସ ଅଟକାଇଲେ ଦେଖାଇବେ।
ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକ ମୋବାଇଲ୍ ବ୍ୟାଙ୍କିଙ୍ଗ, ଇଣ୍ଟର‌ନେଟ୍ ବ୍ୟାଙ୍କିଙ୍ଗ, ଅନଲାଇନ୍ ପେମେଣ୍ଟ୍‌, ଏଟିଏମ୍ ବ୍ୟବହାର ଓ ଇ-କର୍ଣ୍ଣର ଆଦିକୁ ବ୍ୟବହାର କରିବା ଲାଗି ଗ୍ରାହକମାନଙ୍କୁ ଉତ୍ସାହିତ କରିବେ। ଡିଜିଟାଲ୍ ସେବା ବିଷୟରେ ଏସ୍‌ଏମ୍ଏସ୍‌ ଜରିଆରେ ଗ୍ରାହକଙ୍କୁ ସୂଚନା ପଠାଇବା ଓ ସେମାନଙ୍କୁ ସଚେତନ କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। କଲ୍‌ ସେଣ୍ଟର୍‌ ଯେଭଳି ଚବିଶ ଘଣ୍ଟା କାର୍ଯ୍ୟ କରିବ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି।

ରାଜ୍ୟ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ବାଳ ପଠାଇଥିବା ଚିଠିରେ ଏସ୍‌ଏଲ୍‌ବିସିକୁ ଜଣାଇଛନ୍ତି ଯେ, ଟଙ୍କା ଜମା/ଉଠାଣ, ଆର୍‌ଟିଜିଏସ୍‌, ଏନ୍‌ଇଏଫ୍‌ଟି, ଚେକ୍ କ୍ଲିୟରିଂ, କରେନ୍ସି ଚେଷ୍ଟ୍‌, ଏଟିଏମ୍, ସରକାରୀ ଟିକସ ସଂଗ୍ରହ ସେବା ଓ ବିଜନେସ୍ କରେସ୍‌ପଣ୍ଡେଣ୍ଟ୍‌ମାନଙ୍କ ଜରିଆରେ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଦାନ କରିବା କାର୍ଯ୍ୟକୁ ସ୍ବାଭାବିକ ରଖିବା ଲାଗି ବ୍ୟାଙ୍କଗୁଡ଼ିକ ନିଜକୁ ପ୍ରସ୍ତୁତ ରଖିବେ। ଆଧାର କେନ୍ଦ୍ର ସମେତ ଅନ୍ୟାନ୍ୟ ସମସ୍ତ ପ୍ରକାର ସେବାକୁ ଏବେ ବନ୍ଦ କରିଦିଆଯିବ। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଏଫ୍ଏଲ୍‌ସି, ଆର୍‌ଏସ୍‌ଇଟିଆଇଗୁଡ଼ିକର ପ୍ରଶିକ୍ଷଣ, ବୈଠକ, ସମ୍ମିଳନୀକୁ ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର