ଆଇନଜୀବୀ ସଂଘ ନିର୍ବାଚନ ମାମଲା : କିଭଳି ନିର୍ବାଚନ ହେବ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ରାଜ୍ୟର ସ୍ବୀକୃତିପ୍ରାପ୍ତ ଆଇନଜୀବୀ ସଂଘ ଗୁଡିକର କର୍ମକର୍ତ୍ତା ନିର୍ବାଚନ ଚଳିତ ବର୍ଷ କିଭଳି ଭାବେ ହେବ, ସେ ନେଇ ଅବଗତ କରିବାକୁ ରାଜ୍ୟ ଆଇନଜୀବୀ ପରିଷଦକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ପ୍ରକ୍ରିୟା ଅନୁସରଣ କରି ସଂଘ ଗୁଡିକର ନିର୍ବାଚନ ଅନୁ‌ଷ୍ଠିତ ହେବ ସେ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇନଜୀବୀ ସଂଘ ନିର୍ବାଚନ ସ୍ଥଗିତ ରଖାଯାଇଥିବାବେଳେ ଅନ୍‌ଲାଇନରେ, ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ନା ଅନ୍ୟ କୌଣସି ପ୍ରକ୍ରିୟା ଅନୁସରଣ କରି ଭୋଟ ଗ୍ରହଣ କରାଯିବ, ସେ ନେଇ ଆଜି ଶୁଣାଣି ସମୟରେ ପ୍ରଶ୍ନ ଉଠିଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ମାର୍ଚ୍ଚ ୨୮ରେ ରାଜ୍ୟର ସମସ୍ତ ଆଇନଜୀବୀ ସଂଘ କର୍ମକର୍ତ୍ତା ନିର୍ବାଚନ ପାଇଁ ଧାର୍ଯ୍ୟ କରାଯାଇଥିଲା। କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖାଦେଇଥିବା ପରିସ୍ଥିତିରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଏପରି ପରିସ୍ଥିତିରେ ଆଇନଜୀବୀ ସଂଘ ଗୁଡିକର ପରିଚାଳନା ପାଇଁ ଅନ୍ତରୀଣ କମିଟି ଗଠନ କରିବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ଅନ୍ତରୀଣ କମିଟି ନିର୍ଦ୍ଦେଶନାମା ଜାରି କରିଥିଲା। ଆଇନଜୀବୀ ପରିଷଦ ଅନ୍ତରୀଣ କମଟି ନିର୍ଦ୍ଦେଶନାମାକୁ ବିରୋଧ କରି ଦାୟର ମାମଲା ଗୁଡିକର ହାଇକୋର୍ଟରେ ଏକତ୍ର ଶୁଣାଣି ହୋଇଛି। ଭୁବନେଶ୍ବର ବାର୍ ଆସୋସିଏସନର ସଦସ୍ୟ, ବାଲେଶ୍ବର ବାର୍ ଆସୋସିଏସନ୍ ଓ ଭଦ୍ରକ ବାର୍ ଆସୋସିଏସନ୍ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଲିଖିତ ଯୁକ୍ତି ସହିତ ମଧ୍ୟପ୍ରଦେଶ, ଆହ୍ଲାବାଦ ହାଇକୋର୍ଟଙ୍କ ରାୟର ନଜିର ଦାଖଲ କରାଯାଇଛି। ଏଥିସହିତ ଅନ୍ତରୀଣ କମିଟି ଗଠନ ନିୟମ ଅନୁସାରେ ହୋଇ ନାହିଁ ଦର୍ଶାଇ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଭଦ୍ରକ ବାର୍ ଆସୋସିଏସନ୍ ପୂର୍ବତନ ସଭାପତି ବି.ଏମ.ମହାପାତ୍ର ଇଣ୍ଟରଭେନସନ୍ ପିଟିସନ୍ ଦାଖଲ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗଣେଶ୍ବର ରଥ, ଆଇନଜୀବୀ ପରିଷଦ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଓ ଇଣ୍ଟରଭେନରଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ରାୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର