ବାରିପଦା: ବସ୍‌-ବାଇକ୍‌ ଧକ୍କା; ୨ ମୃତ; ଅନେକ ଆହତ: ପ୍ରତିବାଦରେ ରାସ୍ତାରୋକ

ବାରିପଦା: ରବିବାର ପୂର୍ବାହ୍ନରେ ୪୯ ଜାତୀୟ ରାଜପଥ ଝାରପୋଖରିଆ ଥାନା ଅନ୍ତର୍ଗତ ବାଲିଆସାହି ବମ୍ବେଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀ, ବସ୍‌ ହେଲପର୍‌ଙ୍କ ମୃତ୍ୟୁ ଘଟିବା ସହ ଅନେକ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି।

ମୃତ ବାଇକ୍‌ ଆରୋହୀ ହେଉଛନ୍ତି ରାଇରଙ୍ଗପୁରର ୩୭ ବର୍ଷିୟ ସତ୍ୟବାନ ଡେରା। ସେ କୌଣସି କାର୍ଯ୍ୟରେ ଝାଡ଼ଖଣ୍ଡ ଯାଇଥିବା ସମୟରେ ଦୁର୍ଘଟଣା ଘଟିଥିଲା।

ଯାତ୍ରୀବାହୀ ବସ୍‌ ସ୍ୱର୍ଣ୍ଣଲକ୍ଷ୍ମୀ ଦ୍ରୁତ ଗତିରେ ବାମ ପଟରେ ଯାଉଥିବା ବାଇକ୍‌କୁ ଅତିକ୍ରମ କରିବାକୁ ଉଦ୍ୟମ କରୁଥିଲା। ଆଗରେ ରାସ୍ତା ଖୋଳା ଯାଇଥିବାରୁ ବାଇକ୍‌ ଆରୋହୀ ହଠାତ୍‌ ବାଟ କାଟି ଯାଇପାରି ନ ଥିଲେ। ବସ୍‌ ତାଙ୍କ ଉପରେ ଚଢ଼ି ଯାଇ ଓଲଟି ପଡ଼ିବାରୁ ଘଟନାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ବସ୍‌ ଓଲଟି ପଡ଼ିବାରୁ ସେଥିରେ ଥିବା ଯାତ୍ରୀମାନେ ମଧ୍ୟ ଆହତ ହୋଇଛନ୍ତି। ବସ୍‌ର ହେଲ୍‌ପରଙ୍କ ଗୋଡ଼ରେ ସାଙ୍ଘାତିକ ଆଘାତ ଲାଗିବାରୁ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ଆହତ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବା ବେଳେ ଜଣକ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଛି।
ଏ ପର୍ଯ୍ୟନ୍ତ ୧୫ ଆହତମାନଙ୍କୁ ବାରିପଦା ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି।

ପ୍ରତିବାଦରେ ସ୍ଥାନୀୟ ଲୋକେ ବାଇକ୍‌ ଆରୋହୀଙ୍କ ଶବ ରଖି ରାସ୍ତାଅବରୋଧ କରିଛନ୍ତି।

ପୁଲିସ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର