ଅର୍ବାନ୍ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା ଫେରିବା ବାଟ ସ୍ପଷ୍ଟ ହେଲା : ଅଚଳ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ୍‌କୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ମୟୂରଭଞ୍ଜ ଏଡିଏମ ଓ ଡିଆରସିଏସ୍‌ଙ୍କୁ ଚିଠି ଲେଖିଲେ କୋ-ଅପରେଟିଭ୍ ରେଜିଷ୍ଟ୍ରାର୍

ବାରିପଦା : ବାରିପଦା ଅର୍ବାନ୍ ବ୍ୟାଙ୍କ ଜମାକାରୀଙ୍କ ଜମାରାଶି ଫେରିବା ବାଟ ଫିଟିଲା। ଆଜି ରାଜ୍ୟ କୋ-ଅପରେଟିଭ୍ ସୋସାଇଟି ରେଜିଷ୍ଟ୍ରାର୍ ବାରିପଦା ଉପନିବନ୍ଧକ ସମବାୟ ସମିତି ସମୂହ(ଡିଆରସିଏସ୍)ଙ୍କୁ ଚିଠି ଲେଖି ବାରିପଦା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ୍‌ର ଅଚଳ ଆକାଉଣ୍ଟ୍‌କୁ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଛନ୍ତି। କୋ-ଅପରେଟିଭ୍ ସୋସାଇଟି ରେଜିଷ୍ଟ୍ରାର୍ ଆଜିର ତାରିଖରେ ଜାରି ହୋଇଥିବା ଚିଠି ନଂ-୧୪୩୦୮ ଅନୁସାରେ ଅର୍ବାନ୍ ବ୍ୟାଙ୍କର ଫ୍ରିଜ୍ ହୋଇଥିବା ଆକାଉଣ୍ଟଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ଯାହାଫଳରେ ଜମାକାରୀଙ୍କ ଜମାରାଶି ଫେରିପାଇବାର ବାଟ ଏକବାର ସ୍ପଷ୍ଟ ହୋଇଛି। ରେଜିଷ୍ଟ୍ରାର୍ ଏହି ଚିଠି ମାଧ୍ୟମରେ ମୟୂରଭଞ୍ଜ ଏଡିଏମ ତଥା ମ୍ୟାନେଜମେଣ୍ଟ୍ ଇନ୍-ଚାର୍ଯ(ଏମଆଇସି)ଙ୍କୁ ଜମାକାରୀଙ୍କୁ ସଠିକ୍ ଭାବେ ଚିହ୍ନଟ କରି ସମ୍ପୂର୍ଣ୍ଣ ଜମାରାଶି ଫେରସ୍ତ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ୨୫ରେ ଉଚ୍ଚନ୍ୟାୟାଳୟ ୨୦୧୮ରେ ଫାଇଲ୍ ହୋଇଥିବା କେସ୍ ନଂ-ଡବ୍ଲ୍ୟୁପିସି/୭୮୬୬/୨୦୧୮ର ମିସ୍କେସ ୬୯୫/୨୦୨୦ର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ଏହି ରାୟ ଅନୁସାରେ ଅର୍ବାନ୍ ବ୍ୟାଙ୍କ ଜମାକାରୀମାନଙ୍କୁ ସମ୍ପୂର୍ଣ୍ଣ ଜମାରାଶି ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାଇକୋର୍ଟଙ୍କ ରାୟ ପରେ ଏମଆଇସି ଏବଂ ଡିଆରସିଏସଙ୍କୁ ରାଜ୍ୟ କୋ-ଅପରେଟିଭ୍ ରେଜିଷ୍ଟ୍ରାର୍ଙ୍କ ଚିଠି ଜମାକାରୀଙ୍କ ଜମାରାଶି ଫେରିପାଇବାର ବାଟ ପୁରାପୁରି ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ ଯେ, ୨୦୧୪ରେ ବାରିପଦା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସ୍ ବାତିଲ ହେଲା ପରେ ବ୍ୟାଙ୍କ୍‌କୁ ସମ୍ପୂର୍ଣ୍ଣ ବନ୍ଦ (ଲିକ୍ୟୁଡେସନ୍) କରିବାକୁ ଆରବିଆଇ ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ। ମାତ୍ର ରାଜ୍ୟ ସରକାର ୨୦୧୫ ସେପ୍ଟେମ୍ବରରେ ଲିକ୍ୟୁଡେସନ୍ କରିଥିଲେ। ଏହି ଆଧାରରେ ବାରିପଦା ଅର୍ବାନ୍ ବ୍ୟାଙ୍କର ଅନ୍ୟାନ୍ୟ ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟ୍‌କୁ ଫ୍ରିଜ୍ କରାଯାଇଥିଲା। ଏହା ବିରୋଧରେ ତତ୍କାଳୀନ ବ୍ୟାଙ୍କ ପରିଚାଳନା ପରିଷଦ ଉଚ୍ଚନ୍ୟାୟାଳୟରୁ ରହିତାଦେଶ ଆଣିଥିଲା। ଏହି ରହିତାଦେଶ ଆଧାରରେ ବ୍ୟାଙ୍କ କର୍ତ୍ତୃପକ୍ଷ ନୂତନ ଆକାଉଣ୍ଟ୍ ମାଧ୍ୟମରେ ଆର୍ଥିକ କାରବାର କରିଥିଲେ। ମାତ୍ର ଫ୍ରିଜ୍ ହୋଇଥିବା ଆକାଉଣ୍ଟ୍‌ଗୁଡ଼ିକରେ ହିଁ ବ୍ୟାଙ୍କର ପ୍ରାୟ ୮୪ କୋଟିରୁ ଊର୍ଧ୍ବ ଗଚ୍ଛିତ ଜମାରାଶି ରହିଛି। ପ୍ରାୟ ୭୦ହଜାରରୁ ଊର୍ଧ୍ବ ଜମାକାରୀ ୭୨କୋଟି ଫେରିପାଇବେ। ଆଜିର ଏହି ଚିଠି ଜମାକାରୀଙ୍କ ମଧ୍ୟରେ ଆନନ୍ଦ ଆଣିଦେଇଛି।

ସମ୍ବନ୍ଧିତ ଖବର