ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବାସନ୍ତୀ

ଧର୍ମଶାଳା, (ସୀତାକାନ୍ତ ସାମଲ): ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି ବାସନ୍ତୀ ରଣା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ କୁମାରୀ ପଞ୍ଚାୟତ ଦେଉଳିପାଳ ଗ୍ରାମର ତପନ କୁମାର ପାଢ଼ୀଙ୍କ ପତ୍ନୀ ବାସନ୍ତୀ (୩୮)। ସିଲେଇ ଶିକ୍ଷା ଦେଇ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ ମହିଳା ଓ ଯୁବତୀଙ୍କୁ ସ୍ବାବଲମ୍ବୀ କରାଇ ପାରିଛନ୍ତି। ନିଜର ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ବଳରେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପିଲାବେଳୁ ପୋଲିଓରେ ଆକ୍ରାନ୍ତ ହୋଇ ଦିବ୍ୟାଙ୍ଗ ହୋଇ ଯାଇଥିଲେ। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ସେ ସିଲେଇ ଶିକ୍ଷା କରି ଏହାକୁ ବୃତ୍ତି ଭାବେ ଆପଣାଇ ନେଇଥିଲେ। ପ୍ରଥମେ ନିଜ ଘରେ(ଧର୍ମଶାଳା ମହିଳା ମହାବିଦ୍ୟାଳୟ ନିକଟ) ଏବଂ ପରେ ଜାରକା ପଣ୍ତୁଆରେ ଏକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛନ୍ତି।

୨୦୧୧ରୁ ଆରମ୍ଭ ହୋଇଥିଲା ଜୟମା’ ଦୁର୍ଗା ଟେଲରିଂ ଇନଷ୍ଟିଚ୍ୟୁଟ୍‌। ଏବେ ଏଠାରେ ୨୦ ଜଣ ମହିଳା ଓ ଯୁବତୀ ସିଲେଇ ଶିକ୍ଷା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ ମହିଳା ଜାରକା ବଜାରରେ ସିଲେଇ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରି ପାରୁଛନ୍ତି। ଏଯାଏ ହଜାରରୁ ଅଧିକ ଯୁବତୀ ଓ ମହିଳାଙ୍କୁ ସିଲେଇ ଶିକ୍ଷା ଦେଇସାରିଲେଣି। ମହିଳାଙ୍କ ବିଭିନ୍ନ ପୋଷାକ, ସ୍କୁଲ୍ ପିଲାଙ୍କ ୟୁନିଫର୍ମ ଓ ବିଭିନ୍ନ ଡିଜାଇନର ଡ୍ରେସ୍ ଉପକରଣ ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଉଛି। ସିଲେଇ ଶିକ୍ଷାକୁ ବାଦ୍ ଦେଲେ ଘରେ ରୋଷେଇ, ପୂଜାପାଠ ତଥା ଅନ୍ୟ ଘରକରଣା କାର୍ଯ୍ୟରେ ମଧ୍ୟ ସେ ବେଶ୍ ନିପୁଣା। ଭବିଷ୍ୟତରେ ସେ ଆହୁରି ଅଧିକ ମହିଳାଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବାସନ୍ତୀଙ୍କ ଏହି ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରୁ ସେ ପୁରସ୍କୃତ ହୋଇଛନ୍ତି। ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ମହିଳାମାନେ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଛନ୍ତି। ତାଙ୍କର ଲକ୍ଷ୍ୟ ପ୍ରତ୍ୟେକ ମହିଳା ନିଜ ଗୋଡ଼ରେ ଠିଆ ହୁଅନ୍ତୁ। ନିଜ ପରିବାରର ଖର୍ଚ୍ଚ ନିଜେ ଉଠାନ୍ତୁ। ନିଜ ପରିବାରର ଦୁର୍ବଳ ଆର୍ଥିକ ସ୍ଥିତିକୁ ବଦଳାଇ ପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରନ୍ତି।

ଏସବୁ ସଂଘର୍ଷ ଭିତରେ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସରକାରୀ ସହାୟତା ମିଳିନଥିବା ସେ କୁହନ୍ତି। ଶାଶୂ, ଶ୍ବଶୁର, ସ୍ବାମୀ, ପୁଅ ଓ ଝିଅଙ୍କୁ ନେଇ ତାଙ୍କ ସଂସାର। ଘରୋଇ ବ୍ୟାଙ୍କରୁ ଋଣ କରି ସେ ସିଲେଇ କେନ୍ଦ୍ର ଓ ରହିବା ପାଇଁ ଘର କରିଛନ୍ତି। ଠିକ୍ ସମୟରେ କିସ୍ତି ପୈଠ କରିନପାରିଲେ ଅର୍ଥ ଲଗାଣକାରୀ ସଂସ୍ଥା ଋଣ ଟଙ୍କା ଆଦାୟ କରିବାପାଇଁ ଜୁଲମ୍ କରୁଛି। ସେହିପରି ଯିବାଆସିବା ପାଇଁ ତାଙ୍କୁ ସବୁ ବେଳେ ଅଟୋରିକ୍ସା ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଥିପାଇଁ ସେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ତାଙ୍କୁ ଏକ ଚାରିଚକିଆ ସ୍କୁଟର ମିଳିଲେ ସେ ନିଜ ସ୍ବାଧୀନରେ ଯାତାୟାତ କରିପାରନ୍ତେ ବୋଲି ବାସନ୍ତୀ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର