ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହେଉ : ବିଜେପି

ଭୁବନେଶ୍ବର : ୨୦୧୯ ମସିହାରେ ସମାଜର ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ କେନ୍ଦ୍ର ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ। ୧୦୩ତମ ସମ୍ବିଧାନ ସଂଶୋଧନ ବିଧେୟକ ଜରିଆରେ ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି। ରାଜ୍ୟମାନେ ନିଜ ନିଜ ରାଜ୍ୟରେ ଏହି ବ୍ୟବସ୍ଥା ଆପଣାଇଛନ୍ତି। ମାତ୍ର ଓଡ଼ିଶା ସରକାର କେବଳ ମେଡିକାଲ ଶିକ୍ଷା କ୍ଷେତ୍ରରେ ଏହି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ଅନ୍ୟ କ୍ଷେତ୍ରରେ ଏହାକୁ ଲାଗୁ କରିବାରେ ପଛ ଘୁଞ୍ଚା ଦେଇଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ରାଜଧାନୀରେ ଅନୁଷ୍ଠିତ ଆର୍ଥିକ ଅନଗ୍ରସର ସମାବେଶରେ ଯୋଗଦେଇ ଶ୍ରୀ ମହାନ୍ତି କହିଥିଲେ ଯେ ମୋଦୀ ସରକାରଙ୍କ ଏହି ନିୟମକୁ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ମେଡିକାଲ, ଆଇଆଇଏମ, ଆଇଆଇଟି, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ୟୁପିଏସ୍‌ସିରେ ଲାଗୁ ହୋଇଛି। ଯାହାଫଳରେ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ଦୁଃଖ ଲାଘବ ହୋଇପାରିଛି। ମାତ୍ର ରାଜ୍ୟ ସରକାର ମେଡିକାଲ ଶିକ୍ଷାକୁ ବାଦ୍ ଦେଲେ ଅନ୍ୟ ପାଠ୍ୟକ୍ରମ ଓ ଚାକିରି କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର