ଆଖୁ ବାଡ଼ରୁ ଭାଲୁର ଶବ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ବ୍ଲକ ଭତରାସିଉନି ପଞ୍ଚାୟତ ଅନ୍ତର୍ଗତ ଭତରା ଗାଁ ନିକଟରୁ ଗୋଟିଏ ଭାଲୁର ଶବ ଉଦ୍ଧାର କରାଯାଇଛି। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ କରିଛି। ଭତରା ଗାଁର ଗୁନଥାଟ ନଦୀ ନିକଟରେ ଥିବା ଆଖୁ ବାଡରେ ଭାଲୁର ଶବ ପଡ଼ିଥିବା ପପ୍ରଥମେ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ବିଧାୟକଙ୍କ ପ୍ରତିନିଧି ବାବୁଲି ମିଶ୍ର ଜାଣିବା ପରେ ବନପାଳଙ୍କୁ ଖବର ଦେଇଥିଲେ। ବନପାଳ ମନୋରଂଜନ ପଟ୍ଟନାୟକ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ପଶୁ ସମ୍ପଦ ବିଭାଗ ସହାୟତାରେ ବ୍ୟବଚ୍ଛେଦ କରି ଚରକ ବନ ନିକଟରେ ପୋତିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ମୃତର ପ୍ରକୃତ କାରଣ ଜଣାପଡିବ ବୋଲି ବନ ବିଭାଗ ପ୍ରକାଶ କରିଛି। ଅନ୍ୟପଟେ ବିଷକ୍ରିୟା ଯୋଗୁଁ ଭାଲୁର ମୃତ୍ୟୁ ହୋଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।

ମୃତ ଭାଲୁଟି ଅଣ୍ଡିରା ଏବଂ ବୟସ ୪ ବର୍ଷ ହେବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି। ଏହି ଅଞ୍ଚଳରେ ଆଖୁ ଚାଷ ସହ ଗୁଡ଼ ପେଡ଼ା ଚାଲିଛି। ତେଣୁ ଭାଲୁ ଆଖୁ ଖାଇବା ସହ ଆଖୁ ରସ ଓ ଗୁଡ ଖାଇବା ପାଇଁ ଜଙ୍ଗଲରୁ ଚାଲି ଆସୁଛନ୍ତି। ଲୋକେ ଭାଲୁ ଭୟରେ ଆଖୁ ବାଡକୁ ଯିବା ପାଇଁ ଭୟ କରୁଛନ୍ତି। ଗତ ରବିବାର ଦିନ ମଧ୍ୟ ଭତରାସିଉନି ସ୍ଥିତ ଗୋଟିଏ ମନ୍ଦିର ନିକଟକୁ ସକାଳୁ ସକାଳୁ ଭାଲୁ ଚାଲି ଆସିଥିଲା। ଜେଣ ଭକ୍ତ ଭାଲୁକୁ ଦେଖି ମନ୍ଦିରର ଫାଟକ ବନ୍ଦ କରିବା ସହ ପାଟି କରିବାରୁ ଗାଁ ଲୋକ ମନ୍ଦିର ନିକଟକୁ ଚାଲି ଆସିଥିଲେ। ଭାଲକୁ ସେଠାରୁ ଘଉଡ଼ାଇ ଦିଆଯାଇଥିବା ବେଳେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ସେହିପରି ଭତରା ସିଉନି ଗାଁର ମନ୍ଦିର ପାଖରେ ଥିବା ମୋବାଇଲ ଟାୱାର ନିକଟରେ ମାଈ ଭାଲୁ ୨ଟି ଛୁଆକୁ ଜନ୍ମ ଦେଇଥିଲା। ଖାଦ୍ୟ ଅନ୍ବେଷଣରେ ଆଖୁ ବାଡ ନିକଟରେ ମାଈ ଭାଲୁ ଘୂରି ବୁଲୁଛି। ଗତ ୧୨ ତାରିଖ ଦିନ ଉମରକୋଟ ବ୍ଲକର କାରାଗାଁ ପଞ୍ଚାୟତର ମାଣ୍ଡିଆଗୁଡା ଗାଁ ନିକଟସ୍ଥ ଜଙ୍ଗଲରୁ ଭାଲୁର ଶବ ଉଦ୍ଧାର ହୋଇଥିଲା। ଉକ୍ତ ଭାଲୁର ଶରୀରରେ କୌଣସି କ୍ଷତି ଚିହ୍ନ ନଥିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ପ୍ରକାଶ କରିଥିଲେ। ଭାଲୁ ଆକ୍ରମଣରେ ମାଣ୍ଡିଆଗୁଡା ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ନବରଙ୍ଗପୁର ଜିଲ୍ଲାରେ ଅବାଧ ଗଛ କଟା ଯୋଗୁଁ ଭାଲୁ ଏବେ ଗାଁ ମୁହାଁ ହେଉଛି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର