ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ଘଟଣା: ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବ୍ରହ୍ମପୁର: ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପୁଲିସ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସାମ୍ବାଦିକ ଲୋକନାଥ ଦଳେଇଙ୍କ ବିରୋଧରେ ଯେଭଳି ଭାବେ ଅମାନବୀୟ ଅତ୍ୟାଚର କରିଛି ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଜନତାଙ୍କ ସୁରକ୍ଷା ପାଇଁ ରହିଥିବା ପୁଲିସ ଯଦି ଏଭଳି ଅମାନୁଷିକ କାର୍ଯ୍ୟ କରିବ ତେବେ ଲୋକେ କାହା ଉପରେ ଭରସା କରିବେ।

ନୀଳଗିରି ପୁଲିସ ଆକ୍ରୋଶମୂଳକ ଭାବେ ସାମ୍ବାଦିକଙ୍କ ପ୍ରତି ଅତ୍ୟାଚାର କରି ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ କରିଛି। ଏପରିକି ପୁଲିସ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇ ଦୁର୍ବଳ ମାନସିକତାର ପରିଚୟ ଦେଇଛି। ପୁଲିସର ଏଭଳି କାର୍ଯ୍ୟକୁ ବ୍ରହ୍ମପୁର ସହରର କାର୍ଯ୍ୟରତ ସାମ୍ବାଦିକମାନେ ଦୃଢ଼ ନିନ୍ଦା କରିଛନ୍ତି। ତୁରନ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ନୀଳଗିରି ଥାନା ଅଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି। ଏ ମର୍ମରେ ସହରର ବହୁ ସାମ୍ବାଦିକ ‌ଏମ୍‌କେସିଜି ମେଡିକାଲ କଲେଜ ଛକରୁ ଏକ ରାଲିରେ ଯାଇ ଓଡ଼ିଶା ପୁଲିସ ଡିଜିଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ଏଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର