ପଞ୍ଚଭୂତରେ ବିଲୀନ ହେଲେ ଭବାନୀ

ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ

ନିମାପଡ଼ା/ପିପିଲି : ବର୍ଷିଆନ୍‌ ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଗାନ୍ଧୀବାଦୀ ନେତା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ବିଲୀନ ହୋଇଛି। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନିଜ ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ ହେବା ସହ ଏକ ଯୁଗର ଅବସାନ ଘଟିଛି।

ଆଜି ପୂର୍ବାହ୍ନରେ ସ୍ବର୍ଗତ ପଟ୍ଟନାୟକଙ୍କ ମରଶରୀର ପୈତୃକ ଗ୍ରାମ ଗଡ଼ଅଣ୍ଡିଆଠାରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଏକ ଶୋଭାଯାତ୍ରାରେ ମରଶରୀରକୁ କୁଶଭଦ୍ରା ନଦୀ କୂଳରେ ଥିବା ଗ୍ରାମ ଶ୍ମଶାନକୁ ନିଆଯାଇ ସେଠାରେ ଗାର୍ଡ ଅଫ୍‌ ଅନର ଦିଆଯିବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ ପୁଅ ସୁବାସ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ସାନପୁଅ ସୁରେଶ ପଟ୍ଟନାୟକ ଏବଂ ଅନ୍ୟ ୩ ଝିଅ ଉପସ୍ଥିତ ଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ମଶାନ ନିକଟରେ ଜିଲ୍ଲାପାଳ ବଲୱନ୍ତ ସିଂ, ଏସ୍‌ପି ଡ. ଉମାଶଙ୍କର ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡ଼ା, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅମିୟ ପଟ୍ଟନାୟକ, ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ବାଧୀନ ନାୟକ, ନଗର ସଭାପତି ଜୀବନାନନ୍ଦ ମହାପାତ୍ର, ଏନ୍‌ଏସି ପୂର୍ବତନ ଅଧ୍ୟକ୍ଷ ସନାତନ ପ୍ରଧାନ, ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ବିଡିଓ ମନୋଜ ବେହେରା, ବିଜେଡି ନେତା ରଣଜିତ ରାୟ, ପୂର୍ବତନ ବିଧାୟକ ବାଇଧର ମଳିକ, ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣ ଓଝା ପ୍ରମୁଖ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ସ୍ବର୍ଗତ ପଟ୍ଟନାୟକଙ୍କ ପାର୍ଥିବ ଶରୀର ପିପିଲି ଟୋଲ୍‌ଗେଟ ଛକଠାରେ ପହଞ୍ଚିବା ପରେ ସେଠାରେ ପିପିଲି ସାଂସ୍କୃତିକ ପରିଷଦର ଉପଦେଷ୍ଠା ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ମୁଖ୍ୟ ସଂପାଦକ ସମାଜସେବୀ ରମେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ସଂଯୋଜକ ଦୀନବନ୍ଧୁ ବେହୁରାଙ୍କ ସମେତ ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ଯୁବନେତା ପ୍ରଦୀପ କୁମାର ସାହୁ, ଗଦାଧର ପରିଡ଼ା ପ୍ରମୁଖ ଶେଷଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ସେହିପରି ନିମାପଡ଼ାରେ ପହଞ୍ଚିବା ପରେ ତାଙ୍କ ମରଶରୀରକୁ ପେଟାଘାଇ ରାସ୍ତାଦେଇ ପ୍ରଥମେ ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟକୁ ଅଣାଯାଇଥିଲା। କଲେଜ ପକ୍ଷରୁ ସେଠାରେ ତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ସେଠାରୁ ତାଙ୍କ ମରଶରୀରକୁ କର୍ମକ୍ଷେତ୍ର ସହିଦ ସ୍ମୃତି ସଂସଦ ଭବନକୁ ନିଆଯାଇଥିଲା। ନିମାପଡ଼ା ଥାନା ସମ୍ମୁଖରେ ଥିବା ସହିଦ ଉଚ୍ଛବ ମଳିକଙ୍କ ପ୍ରତିମୂର୍ତ୍ତି ,ଦୋଳବେଦୀ ଛକରେ ଥିବା ତାଙ୍କ ଗୁରୁ ,ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ମୋହନ ଦାସଙ୍କ ପ୍ରତିମୂର୍ତ୍ତୀ ନିକଟରେ କିଛି ସମୟ ରଖାଯିବା ପରେ ନିଜ ପୈତୃକ ଗ୍ରାମ ଗଡ଼ଅଣ୍ଡିଆସ୍ଥିତ ବାସଭବନକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର