ଭୁବନେଶ୍ବରରେ ପହଞ୍ଚିଲେ ବିଜୟ ମହାନ୍ତି, ସରକାରଙ୍କ ସହଯୋଗ ନ ମି‌ଳିଲେ ଅନ୍ୟ ବାଟ ଆପଣାଇବୁ

ଭୁବନେଶ୍ବର : ଅଭିନେତା ବିଜୟ ମହାନ୍ତି ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ତୁରନ୍ତ ତାଙ୍କୁ ମେଡିକାଲ୍‌ରେ ଭର୍ତି କରି ସମସ୍ତ ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଛି। ପୂର୍ବାପେକ୍ଷା ତାଙ୍କ ସ୍ବାସ୍ଥ୍ୟ ଭଲ ଅଛି। ଭଲରେ କଥା ମଧ୍ୟ ହେଉଛନ୍ତି ବୋଲି ଅଭିନେତା ଅଖିଳ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ଏତେ ଦିନ ଧରି ବିଜୟଙ୍କ ସ୍ବାସ୍ଥ୍ୟକୁ ନେଇ ଚର୍ଚ୍ଚା ଚାଲୁଥିଲେ ହେଁ ରାଜ୍ୟ ସରକାର ଏ ବାବଦରେ ନା ମୁହଁ ଖୋଲୁଛନ୍ତି ନା ଏହି ବରିଷ୍ଠ ଅଭିନେତାଙ୍କ ପରିବାର ସହ କଥା ହୋଇଛନ୍ତି। ଅଖିଳ କହିଛନ୍ତି, ବିଜୟ ସାର୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଯେମିତି, ମେଡିକାଲ୍‌ରେ କିଛି ଦିନ ରହି ଚିକିତ୍ସିତ ହେବାକୁ ପଡ଼ିବ। ତେଣୁ ଏ ବାବଦରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ମାତ୍ର ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇ ନାହାନ୍ତି। ବିଡ଼ମ୍ବନା ‌ଏହି ଯେ ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଏହି ବରିଷ୍ଠ ଅଭିନେତାଙ୍କୁ ଏଭଳି ସ୍ଥିତିରେ ହାଇଦ୍ରାବାଦରୁ ଭୁବନେଶ୍ବର ମେଡିକାଲ୍‌କୁ ଆଣିବା ପାଇଁ ଏୟାର ଆମ୍ବୁଲାନ୍‌ସ ଯୋଗାଇ ଦିଆଯାଇ ପାରିନଥିଲା। ଶେଷରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ଏବଂ ଅଖିଳ ଓ ପ୍ରଶାନ୍ତ ନାୟକଙ୍କ ଉଦ୍ୟମ ପରେ ୭୦ ହଜାର ଟଙ୍କା ଖର୍ଚ୍ଚରେ ତାଙ୍କୁ ଆମ୍ବୁଲାନ୍‌ସ ବସ୍‌ ଯୋଗେ କେୟାର ହସ୍ପିଟାଲକୁ ଅଣାଯାଇଛି। ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲେ ମଧ୍ୟ ସେ ଆମ୍ବୁଲାନ୍‌ସ ବସ୍‌ରେ ୨୨ଘଣ୍ଟା ଯାତ୍ରା କରି ଭୁବନେଶ୍ବରରେ ପହଞ୍ଚିଛନ୍ତି।

ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି, ଏ ସମ୍ପର୍କରେ ସେ ମନ୍ତ୍ରୀଙ୍କ ସହ କଥା ହେବେ। ‌ସରକାରଙ୍କ ପକ୍ଷରୁ କିପରି ସହଯୋଗ ଯୋଗାଇ ଦିଆଯାଇପାରିବ, ସେ ବାବଦରେ ନିଷ୍ପତ୍ତି ନିଆଯିବ। ଏଣେ ଅଭିନେତା ଅଖିଳ କହିଛନ୍ତି, ଯଦି ସରକାରୀ ସୂତ୍ରରୁ ସାହାଯ୍ୟର ହାତ ନ ବଢ଼େ, ବାଧ୍ୟ ହୋଇ ଅନ୍ୟ ବାଟ ଆପଣାଇବୁ। ତେବେ ଆଶା ଅଛି, ସରକାର ବିଜୟ ସାର୍‌ଙ୍କ ଅବଦାନକୁ ବୁଝି ସାହାଯ୍ୟ ପାଇଁ ଆଗେଇ ଆସିବେ।

ଶ୍ରୀ ମହାନ୍ତିଙ୍କ ପତ୍ନୀ ତନ୍ଦ୍ରା ଓ ଝିଅ ଜସ୍ମିନ୍‌ ମହାନ୍ତି ମଧ୍ୟ ଓଡ଼ିଶା ଫେରିଛନ୍ତି। ତେବେ ସେ ରାଜ୍ୟ ବାହାରୁ ଫେରିଥିବାରୁ ହୋମ୍‌ କ୍ବାରାଣ୍ଟିନ୍‌‌ରେ ଅଛନ୍ତି। ଆଜି ବିଜୟ ମହାନ୍ତି ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ଅଭିନେତା ତଥା ସିନେ କଳାକାର ସଂଘର ସମ୍ପାଦକ ଶ୍ରୀତମ, ଅଭିନେତ୍ରୀ ଉଷସୀ, ଅଭିନେତା ବିଜୁ ବଡ଼ଜେନାଙ୍କ ସମେତ କିଛି କଳାକାର ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର