କେନ୍ଦ୍ରାପଡ଼ାରେ ମହାନଦୀ ସୁରକ୍ଷା ସଂକଳ୍ପ ସମାବେଶ : କେନ୍ଦ୍ରମନ୍ତ୍ରୀଙ୍କୁ ବିଜୟଙ୍କ ତାଚ୍ଛଲ୍ୟ, ‘ମହାନଦୀ ବିଷୟରେ ପଢ଼ି ମନ୍ତବ୍ୟ ଦିଅନ୍ତୁ’

କେନ୍ଦ୍ରାପଡ଼ା : ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏଥିସହିତ ସେ ଛତିଶଗଡ଼ ସରକାରକୁ ବି ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଗଠିତ ଟ୍ରିବ୍ୟୁନାଲ ସମ୍ପର୍କରେ ନଜାଣି କେନ୍ଦ୍ରମନ୍ତ୍ରୀମାନେ ମନ୍ତବ୍ୟ ଦେଉଛନ୍ତି। ଆଗ ସେମାନେ ମହାନଦୀ ବିଷୟରେ ପଢ଼ି ମନ୍ତବ୍ୟ ଦେବା ଉଚିତ। ଆଜି କେନ୍ଦ୍ରାପଡ଼ାଠାରେ ଆୟୋଜିତ ମହାନଦୀ ସଂକଳ୍ପ ସମାବେଶରେ ଯୋଗଦେଇ ବୋଲି ଶ୍ରୀ ମହାପାତ୍ର ଏହିଭଳି ତାତ୍ସଲ୍ୟ କରିଛନ୍ତି।

କେନ୍ଦ୍ରାପଡ଼ା ଟାଉନହଲ୍‌ଠାରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ, ପ୍ରଧାନମନ୍ତ୍ରୀ କଟକଠାରେ ଓଡ଼ିଶାବାସୀଙ୍କ ପାଇଁ ପଦୁଟିଏ କହିବା ନିତାନ୍ତ ଆବଶ୍ୟକ ଥିଲା। କିନ୍ତୁ ସେ କିଛି ନ କହି ଚାଲିଗଲେ। ଅନ୍ୟପଟେ ମହାନଦୀ ପ୍ରସଙ୍ଗରେ ସେ ପୂର୍ବରୁ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରୁଥିବାବେଳେ ତାଙ୍କର ଦାବିକୁ ବାଏଁ ବାଏଁ ଉଡ଼ାଇ ଦିଆଯାଇଥିଲା। ଟ୍ରିବ୍ୟୁନାଲ ହେଲେ ରାୟ ମିଳିବାକୁ ୧୫ ବର୍ଷ ଲାଗି ଯିବ ବୋଲି କୁହାଯାଉଥିଲା। କେନ୍ଦ୍ରମନ୍ତ୍ରୀ ଓ ବଡ଼ବଡ଼ ମନ୍ତ୍ରୀ ହୋଇ ମଧ୍ୟ ଟ୍ରିବ୍ୟୁନାଲ ବିଷୟରେ ଜାଣିନାହାନ୍ତି। ତେଣୁ ମହାନଦୀ ବିଷୟରେ ପଢ଼ି ଏ ବିଷୟରେ ମନ୍ତବ୍ୟ ଦେବା ଉଚିତ୍‌ ବୋଲି ସେ ପରୋକ୍ଷରେ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀମାନଙ୍କୁ ତାତ୍ସଲ୍ୟ କରିିଥିଲେ। କିନ୍ତୁ ଶେଷରେ ସରକାର ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଟ୍ରିବ୍ୟୁନାଲ ଗଠନ କଲେ। କିନ୍ତୁ ୨ ମାସ ବିତି ଯାଇଥିଲେ ବି କିଛି କାମ ଆଗଉନାହିଁ। ୨୦୦୨ରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ସଂଶୋଧିତ ନିୟମ ଅନୁସାରେ ୩ ବର୍ଷ ଭିତରେ କିନ୍ତୁ ସମସ୍ୟାର ସମାଧାନ ହେବା ଆବଶ୍ୟକ ବୋଲି ସେ କହିିଥିଲେ ।

ପୂର୍ବତନ ନଗରପାଳ ବିଜୟକୃଷ୍ଣ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଗାନ୍ଧିବାଦୀ ନେତା ଗୌରାଙ୍ଗ ହୋତା ପ୍ରମୁଖ ଯୋଗଦେଇ ରାଜନଗର-ପଟ୍ଟାମୁଣ୍ଡାଇ ବିକାଶ ପରିଷଦର ନେତା ବିଜୟ କେତନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀକୁ ରକ୍ଷା କରିବା ପାଇଁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କହିଥିଲେ । ପୂର୍ବତନ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧିତ ଖବର