ଚାପିଦେଲା ଦ୍ରୁତଗାମୀ ଟ୍ରକ, ବାଇକ୍‌ ଆରୋହୀ ମୃତ

କେନ୍ଦୁଝର,୧୦/୧୧ : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ରାଇସୁଆଁ ଜିଟି ପେଟ୍ରୋଲପମ୍ପ ନିକଟରେ ଆଜି ସକାଳ ୮ଟାବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ କେନ୍ଦୁଝର ପଟୁ ରାଇସୁଆଁ ଅଭିମୁଖେ ଏକ ଟିଭିଏସ୍‌ (ଓଡି-୦୯-ଇ-୦୭୫୯) ବାଇକ୍‌ରେ ମହାଦେଇଯୋଡ଼ା ପଞ୍ଚାୟତ ରଥମରା ଗ୍ରାମର କିସନି ମୁଣ୍ଡା ଯାଉଥିଲେ। ଜିଟି ପେଟ୍ରୋଲ ପମ୍ପ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ୍‌ (ଓଡି-୦୯-ସି-୫୦୩୩) ତାଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ଟି ଆଗକୁ ମାଡ଼ିଯିବାରୁ କିସନି ବାଇକ୍‌ ସହ ଟ୍ରକ୍‌ରେ ଲାଗି ଯାଇଥିଲେ। ଟ୍ରକ୍‌ କିସନିଙ୍କ ସହ ବାଇକ୍‌କୁ ପାଖାପାଖି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। କେନ୍ଦୁଝର ସଦର ଥାନା ସମ୍ମୁଖରେ ଡ୍ରାଇଭର ଗାଡ଼ି ଅଟକାଇ ପ୍ରାଣ ବିକଳରେ ଥାନା ଭିତରକୁ ଦୌଡ଼ି ପଳେଇଥିଲା। କିସନିଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି।

ସମ୍ବନ୍ଧିତ ଖବର