ଚନ୍ଦକାରେ ୧୬ ହଜାର ପକ୍ଷୀ, ଗତବର୍ଷଠାରୁ ୩ ହଜାର ଅଧିକ

୨୨ ପ୍ରଜାତିର ବିଦେଶାଗତ ଅତିଥି ପକ୍ଷୀ

ଖଣ୍ଡଗିରି : ଚନ୍ଦକା ବନଖଣ୍ଡରେ ପକ୍ଷୀ ଗଣନା ସରିଛି। ଚଳିତ ବର୍ଷ ମୋଟ ୪୯ ପ୍ରଜାତିର ୧୬ ହଜାର ୧୩ ପକ୍ଷୀଙ୍କ ସମାଗମ ହୋଇଛନ୍ତି। ଗତବର୍ଷ ୧୩ ହଜାର ୪ ଶହ ପକ୍ଷୀଙ୍କ ସମାଗମ ହୋଇଥିଲା। ବଡ଼ କଥା ହେଉଛି, ଏହି ପକ୍ଷୀଙ୍କ ମଧ୍ୟରେ ୨୨ପ୍ରଜାତିର ବିଦେଶାଗତ ପକ୍ଷୀ(ମାଇଗ୍ରେଟୋରି ବାର୍ଡସ୍‌) ଚନ୍ଦକାରେ ଅତିଥି ସାଜିଛନ୍ତି। ଗତବର୍ଷ ପ୍ରାୟ ୧୫ପ୍ରକାର ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ଆହୁରି ଅଧିକ ସାତ ପ୍ରକାର ପ୍ରଜାତିର ଏହି ବର୍ଗର ପକ୍ଷୀଙ୍କୁ ଚନ୍ଦକା ବନଖଣ୍ଡରେ ଦେଖିବାକୁ ମିଳିଛି। ବିଭିନ୍ନ ପ୍ରକାର ରାଜହଂସ, ହଂସରାଳି, ମାଛରଙ୍କା ଓ ଗେଣ୍ଡାଳିଆଠାରୁ ଆରମ୍ଭ କରି ସୁନ୍ଦର ବିଦେଶାଗତ ପକ୍ଷୀଙ୍କ ଆଗମନ କାରଣରୁ ଚଳିତବର୍ଷ ଚନ୍ଦକା ବନଖଣ୍ଡ ଅଧିକ ମନୋରମ ପାଲଟିଛି।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଚନ୍ଦକା ବନଖଣ୍ଡରେ ପକ୍ଷୀ ଗଣନା ପାଇଁ ୧୧ଟି ଟିମ୍‌ ଗଠିତ ହୋଇଥିଲା ଓ ମୋଟ ୬୬ଜଣ ଏହି ଗଣନାରେ ସାମିଲ୍ ହୋଇଥି‌ଲେ। ମୋଟ ୨୫ଟି ସ୍ଥାନକୁ ଚିହ୍ନଟ କରାଯାଇଥିଲା। ବିଶେଷକରି ଡମପଡ଼ା ରେଞ୍ଜ ଅଧୀନ ମହାନଦୀ ସଂଲଗ୍ନ ଜଳାଶୟ, ମୁଣ୍ଡଳି ବ୍ୟାରେଜ୍‌, ଜାରିଆ, ପୁରୀ କେନାଲ୍‌, ପଣସଝର, ପାଥପୁର, ଭାଲୁଙ୍କା, ଡେରାସ, ଝୁମୁକା, କଜଳାଗଣ୍ଡ, ଗୁପ୍ତପଡ଼ା ଡ୍ୟାମ୍‌, ପାଟଖାଲ, କୁମାରଖୁଣ୍ଟି, ଏକାମ୍ର କାନନ ଭଳି ବଡ଼ ବଡ଼ ଜଳାଶୟ ଥିବା ସ୍ଥାନରେ ଟିମ୍‌ ଅତ୍ୟାଧୁନିକ କ୍ୟାମେରା ସାହାଯ୍ୟରେ ଗଣନା କରିଥିଲା। ନର୍ଦନ୍‌ ପିଣ୍ଟେଲ୍, ଟଫ୍‌ଡ ଡକ୍‌, ଗାର୍ଡୱେଲ୍‌, ରେଡ୍‌ କ୍ରେଷ୍ଟେଡ୍‌ ପୋକାର୍ଡ, ରିର୍ଭ ଲାପ୍‌ୱିଙ୍ଗ୍‌, ଗ୍ରେ ହେଡଡ୍‌ ଲାପୱିଙ୍ଗ୍‌, ଇଣ୍ଡିଆନ୍‌ ସ୍କିର୍ମ, ବ୍ଲାକ୍‌ ବେଲିଡ୍‌ ଟର୍ଣ୍ଣ, ରିଭର୍‌ ଟର୍ଣ୍ଣ, ବାର୍‌ ହେଡଡ୍‌ ଗୁଜ୍‌, ପରଗ୍ରିନ୍ ଫାଲ୍‌କନ୍‌ ଓ ଗ୍ରେଟ୍‌ କ୍ରେଷ୍ଟେଡ୍‌ ଗ୍ରିବ୍‌ ଆଦି ପକ୍ଷୀମାନେ ଡେରା ପକାଇଛନ୍ତି। ଡିଏଫ୍‌ଓ କେଦାର କୁମାର ସ୍ବାଇଁଙ୍କ ସୂଚନାନୁସାରେ, ବିଭାଗର କର୍ମଚାରୀମାନଙ୍କ ସମେତ ଉତ୍କଳ ବିଶ୍ବବିଦ୍ୟାଳୟର ଗ‌ବେଷଣା କରୁଥିବା ଛାତ୍ରଛାତ୍ରୀ, ଓୟୁଏଟିର ଛାତ୍ରଛାତ୍ରୀ, ଚିଲିକା ଉନ୍ନୟନ ସଂସ୍ଥା ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନେ ଏହି ଗଣନାରେ ସାମିଲ୍ ହୋଇଥି‌ଲେ।

ସମ୍ବନ୍ଧିତ ଖବର