ଦିଲ୍ଲୀରେ ବିଜେଡିର କୃଷକ ଅଧିକାର ସମାବେଶ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୫୦ ଟଙ୍କା କରିବାକୁ ଦାବି

ନୂଆଦିଲ୍ଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଆଜି ଦିଲ୍ଲୀ ଦରବାରରେ ବିଶାଳ କୃଷକ ଅଧିକାର ସମାବେଶ ଆୟୋଜନ କରିଛି ବିଜୁ ଜନତା ଦଳ। ଚାଷୀଙ୍କ ହକ ପାଇଁ ଦିଲ୍ଲୀ ଦରବାରରେ ବିକ୍ଷୋଭ କରିବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ମନ୍ତ୍ରିମଣ୍ଡଳର ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀରେ ପହଞ୍ଚିଛନ୍ତି।

ଦିଲ୍ଲୀର ତାଲକୋଟରା ଷ୍ଟାଡିୟମ ଠାରେ ହଜାର ହଜାର ବିଜେଡି ସମର୍ଥକ, ଦଳୀୟ କର୍ମୀ, ବିଧାୟକ, ସାଂସଦ ଓ ସଙ୍ଗଠନ ଦାୟିତ୍ୱରେ ଥିବା ଅଧିକାରୀମାନେ ଏକାଠି ହୋଇଛନ୍ତି। ଆଉ ଏହାର ନେତୃତ୍ୱ ନେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିଶାଳ କୃଷକ ଅଧିକାର ସମାବେଶରେ ଯୋଗ ଦେଇ ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର୨୦୧୪ ମସିହା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଧାନର ସହାୟକ ମୂଲ୍ୟ ବୃଦ୍ଧି ନ କରି ରାଜ୍ୟର ଲକ୍ଷଲକ୍ଷ ଚାଷୀଙ୍କ ସହିତ ପ୍ରତାରଣା କରିଛନ୍ତିି। ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ମୋଦି ସରକାର ଏମଏସପି  ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ସହିତ ବାରମ୍ବାର ଆଲୋଚନା ଏବଂ ଚିଠି ଲେଖାଯାଇଛି। କିନ୍ତୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଚୁପ୍‌ ବସିଛନ୍ତି । ତେଣୁ ଦିଲ୍ଲୀରେ ଆଜି କୃଷକଙ୍କ ହକ୍‌ ପାଇଁ ବିଶାଳ ସମାବେଶ କରି ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରାଯିବ।


ତେବେ ଅପରାହ୍ଣ ୫ଟାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୫୦ ଟଙ୍କା କରିବା ନେଇ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ସକାଳ ସାଢ଼େ ୧୧ଟା ଠାରୁ ତାଲକୋଟରା ଷ୍ଟାଡିୟମ ଠାରେ ହଜାର ହଜାର କୃଷକ ଏକତ୍ରୀତ ହୋଇଛନ୍ତି। ସେଠାରେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦିଆଯାଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଛି।

ସମ୍ବନ୍ଧିତ ଖବର