ପକ୍କା ଘର ଆବଣ୍ଟନକୁ ନେଇ ବିଜେପି-ବିଜେଡି ଦୋଷ ଲଦାଲଦି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା‌ରେ ଗରିବ/ବାସହୀନ ଲୋକଙ୍କୁ ପକ୍କା ଘର ଯୋଗାଣ ହେଉଥିବାବେଳେ ଏହାର ଆବଣ୍ଟନ ପ୍ରକ୍ରିୟାକୁ ନେଇ ବିଜେପି-ବିଜେଡି ପରସ୍ପରକୁ ଦୋଷ ଲଦାଲଦି ଆରମ୍ଭ କରିଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ଶାସକ ଦଳ ଘର ଯୋଗାଉଥିବା ବିଜେପି ଅଭିଯୋଗ ଆଣିଥିବାବେଳେ ବିଜେଡି କହିଛି ଯେ, ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିବାକୁ ବିଜେପି ଷଡଯନ୍ତ୍ର କରିଛି।

ଗୁରୁବାର ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ ଯେ, ଚତୁର୍ଦ୍ଦଶ ଅର୍ଥ କମିସନରେ ମୋଦି ସରକାର ପ୍ରତି ପଞ୍ଚାୟତକୁ ବ୍ୟାପକ ମାତ୍ରାରେ ଅର୍ଥ ପଠାଉଥିଲେ ହେଁ ରାଜ୍ୟ ସରକାର ଏହି ଅର୍ଥକୁ ହରିଲୁଟ୍ କରିଛନ୍ତି। ଚତୁର୍ଦ୍ଦଶ ଅର୍ଥ କମିସନରେ ଆସିଥିବା ଅର୍ଥ କୁଆଡ଼େ ଗଲା ଏବଂ କାହିଁକି ଖର୍ଚ୍ଚ ହୋଇପାରିନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଏହାସହ କହିଛନ୍ତି ଯେ, ଜଣେ ବି ଅଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନଦିଆଯାଉ। ଯେଉଁ ଅଧିକାରୀ ଏହି ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ, ତାଙ୍କ ଉପରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ‌ଶେଷ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ନମିଳିବା ଯାଏଁ ବିଜେପି ଲଢେଇ ଜାରି ରଖିବ।

ଏହାର ଜବାବ୍ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, ଓଡିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‍ଏୱାଇ) ଯୋଜନାରେ ଘର ପାଇବାରୁ ବଞ୍ଚିତ କରିବା ପାଇଁ ବିଜେପିର ଷଡଯନ୍ତ୍ର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ। ଇଏ ହେଉଛି ସେହି ସମାନ କେନ୍ଦ୍ର ସରକାର ଯିଏ ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡିଶାକୁ ପୁରସ୍କୃତ କରିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଗରିବ ଲୋକଙ୍କ ଅଧିକାରକୁ ନେଇ ବିଜେପି ରାଜନୀତି କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ଘର ପାଇବାରୁ ବଞ୍ଚିତ କରିବାକୁ ଷଡଯନ୍ତ୍ର କରୁଛି।

ସମ୍ବନ୍ଧିତ ଖବର