ଘର ପାଇଁ ୨୧ ହଜାର ଟଙ୍କା ପିସି ନେଉଛନ୍ତି ବିଜେଡି ବିଧାୟକ: ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ, ରାଜଭବନ ସାମ୍ନାରେ ଧାରଣା ଦେଲା ବିଜେପି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେ ହେଲା ପରେ ଘରର ଫଟୋ ଉଠାଇ ଜିଓ ଟାଗିଙ୍ଗ୍ କରିବା କଥା। କିନ୍ତୁ ଶାସକ ଦଳର ବିଧାୟକମାନେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆର୍‌ଏସ୍‌ମାନଙ୍କୁ ଧରି କେବଳ ବିଜେଡି କର୍ମୀ ଓ ସମର୍ଥକମାନଙ୍କ ଘର ଜିଓ ଟାଗିଙ୍ଗ୍ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଘର କରାଇବା ନାଁରେ ବିଜେଡି ବିଧାୟକମାନେ ଘର ପିଛା ୨୧ ହଜାର ଟଙ୍କା ପିସି ଆଦାୟ କରିବାରେ ଲାଗିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ଚଞ୍ଚକତା କରି ହଡ଼ପ କରୁଥିବା ଅଭିଯୋଗ ଆଣି ବିଜେପି ପକ୍ଷରୁ ଆଜି ରାଜଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ।

ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ପକ୍କା ଘର ଯୋଗାଇ ଦେଉଛନ୍ତି। ଏହି ଯୋଜନା‌େର ଓଡ଼ିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି। କିନ୍ତୁ ରାଜ୍ୟ ସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ବଦଳାଇ ‘ମୋ ଆବାସ’ ନାମରେ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଉଚ୍ଚାକାଂକ୍ଷୀ ଜନକଲ୍ୟାଣକାରୀ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଏହା ଦ୍ବାରା ଭାରତର ସମସ୍ତ ଜନସାଧାରଣଙ୍କୁ ପକ୍କା ଘର ଯୋଗାଇ ଦେବାର ପରିକଳ୍ପନା କରାଯାଇଛି। ଏହି ଯୋଜନାକୁ ଚଞ୍ଚକତା କରି କୌଣସି ରାଜ୍ୟର ସରକାର ଏହାକୁ ନିଜସ୍ବ ଯୋଜନା ଭାବେ ଘୋଷଣା କରି ବିଭ୍ରାନ୍ତ କରାଇବା ନିଶ୍ଚିତ ଭାବେ ଅଗଣତାନ୍ତ୍ରିକ, ଆଦର୍ଶ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ। ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାଁ କାଟି ରାଜ୍ୟ ସରକାର ବିଜୁ ପକ୍କା ଘର କହି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ୨୦୧୮ ସର୍ଭେ ଅନୁଯାୟୀ ୪ ଲକ୍ଷ ଘରର କାର୍ଯ୍ୟାଦେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ବଣ୍ଟନ କରି ଗାଇଡ୍‌ ଲାଇନ୍ ଭିତ୍ତିରେ କାର୍ଯ୍ୟାଦେଶ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫଳକ ଲଗାଯିବାର ଆବଶ୍ୟକତା ରହିଛି। କିନ୍ତୁ ରାଜ୍ୟ ସରକାର ଏହାକୁ ନିଜ ଲୋଗୋରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବିଜୁ ପକ୍କା ଘରର ଫଟୋ ଲଗାଇ ମୋ ଆବାସ ଲେଖି କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି। ସେହିପରି ସମସ୍ତେ ଘର ପାଇବେ ବୋଲି ଯେଉଁ ସର୍ଭେ ଚାଲିଛି, ସେଥିରେ ମଧ୍ୟ ଚଞ୍ଚକତା ହେଉଛି। ‌ସର୍ଭେର ଯେଉଁ ବିଜ୍ଞାପନ ପ୍ରକାଶ ପାଇଥିଲା, ସେଥିରେ କୌଣସି ଗୋଟିଏ ଜାଗାରେ ପ୍ରଧା‌ନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ବୋଲି ଲେଖାଯାଇନି। ଓଡ଼ିଶା ସରକାରଙ୍କ ଏହି ଚଞ୍ଚକତା ବିରୋଧରେ ବିଜେପି ତା’ର ଲଢ଼େଇ ଜାରି ରଖିବ ‌େବାଲି ନେତାମାନେ ଚେତାବନୀ ଦେଇଥିଲେ।

ବିକ୍ଷୋଭ ପରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ପ୍ରତିନିଧି ଦଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପ ନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ସାଂସଦ ବିଶ୍ବେଶ୍ବର ଟୁଡ଼ୁ, ବିଧାୟକ ପ୍ରକାଶ ସୋରେନ୍, ବୁଢ଼ାନ ମୁର୍ମୁ, ସୁକାନ୍ତ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ରାଜ୍ୟ ଉପସଭାପତି ନୟନ ମହାନ୍ତି, ସୁ‌େକଶୀ ଓରାମ, ରମାରଞ୍ଜନ ବଳିୟାରସିଂହ, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଅନନ୍ତ ନାୟକ, ବରିଷ୍ଠ ନେତା ମନମୋହନ ସାମଲ, ଖାରବେଳ ସ୍ବାଇଁ, ସୁରମା ପାଢ଼ୀ, ମହିଳା ମୋର୍ଚ୍ଚା ସଭା‌େନତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର