ବିଜେପିର ଚକାଜାମ୍: ପଶ୍ଚିମ ଓଡ଼ିଶାରେ ଯାତାୟାତ ଠପ୍

ସମ୍ବଲପୁର : ଚାଷୀଙ୍କ ସମସ୍ୟା ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି। ବିଜେପିର ଚକାଜାମ୍ ଯୋଗୁଁ ଶନିବାର ପଶ୍ଚିମ ଓଡ଼ିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ରରେ ଯାତାୟତ ଠପ୍ ହୋଇଯାଇଛି। ଚକା ଜାମ୍ ଆନ୍ଦୋଳନ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲେହେଁ ଯାତାୟାତ ସ୍ବାଭାବିକ ହେବାକୁ ବହୁ ସମୟ ଲାଗିଥିଲା।

ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଚାଷୀଙ୍କ ଧାନ ବିକ୍ରି ହୋଇପାରିନାହିଁ। ଶହ ଶହ ଚାଷୀଙ୍କ ମିଳିଥିବା ଟୋକନ୍ ଲାପ୍ସ ହୋଇଯାଇଛି। କେଉଁଠି ମଣ୍ଡିରେ ଧାନ ପଡ଼ିଛି ତ ଆଉ କେଉଁଠି ପୁଣି ଚାଷୀ ନିଜ ଘ‌ରେ ଧାନ ରହିଛି। ରାଜ୍ୟ ସରକାରଙ୍କ କିନ୍ତୁ ନିରବଦ୍ରଷ୍ଟା ସାଜିଛନ୍ତି। ମଣ୍ଡିରୁ ଚାଷୀଙ୍କ ସବୁ ଧାନ ଉଠାଯିବା ଦାବିରେ ବିଜେପି ପକ୍ଷରୁ ଚାଲି ଆସିଥିବା ଆନ୍ଦୋଳନର କ୍ରମରେ ଆଜି ୩ ଘଣ୍ଟିଆ ଚକାଜାମ୍ ଡାକରା ଦେଇଥିଲା। ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲା ସହିତ ସମ୍ବଲପୁର ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡରେ ବି ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଚକାଜାମ୍ କରାଯାଇଥିଲା। ସମ୍ବଲପୁର ଜିଲ୍ଲାର ସମ୍ବଲପୁର ବିଧାନସଭା ଅନ୍ତର୍ଗତ ରେମେଡ୍ ଓ ଅଇଁଠାପାଲିଠାରେ ୫୩ ନମ୍ବର ଜାତୀୟ ରାଜପଥରେ ଚକାଜାମ୍‌ କରାଯାଇଥିଲା। ରେଂଗାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଶାଳା ଓ ସିନ୍ଦୁରପଙ୍କଠାରେ ୫୩ ନମ୍ବର ଜାତୀୟ ରାଜପଥ, ରେଂଗାଲିଠାରେ ୧୦ ନମ୍ବର ରାଜ୍ୟ ରାଜପଥ ଓ ଲାଉମୁଣ୍ଡାଠାରେ ପୁରୁଣା ରାଞ୍ଚି ରୋଡ୍‌, କୁଚିଣ୍ଡା ନିର୍ବାଚନମଣ୍ଡଳୀର ଜମନକିରାଠାରେ ୫୩ ନମ୍ବର ଜାତୀୟ ରାଜପଥ, ସଇଡ଼ାଠାରେ ୪୯ ନମ୍ବର ଜାତୀୟ ରାଜପଥ, ଲାଡ୍‌ ଓ ବାମରାଠାରେ ରାଜ୍ୟ ରାଜପଥ, ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ରେଢ଼ାଖୋଲଠାରେ ୫୫ ନମ୍ବର ଜାତୀୟ ରାଜପଥ, ପଡ଼ିଆବାହାଲଠାରେ ୫୩ ନମ୍ବର ଜାତୀୟ ରାଜପଥ ଓ ସାହାସପୁରଠାରେ ୧୫ ନମ୍ବର ରାଜ୍ୟ ରାଜପଥ ଅବରୋଧ ହୋଇଥିଲା। ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଆନ୍ଦୋଳନରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଂଗାଲି ବିଧାୟକ ନାଉରୀ ନାୟକ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାଏକ, ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଗିରୀଶ ପଟେଲ ପ୍ରମୁଖଙ୍କ ସମେତ ଅନ୍ୟ ଦଳୀୟ ନେତାମାନେ ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର