ବିଜେଡି ସଂସଦୀୟ ଦଳ ବୈଠକର ନିଷ୍ପତ୍ତିକୁ ବିଜେପିର ସମାଲୋଚନା

ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡ଼ିଯିବ ବୋଲି ବିଜେଡି ଭୟଭୀତ

ଭୁବନେଶ୍ବର: ସଂସଦର ଆଗାମୀ ଅଧିବେଶନ ପୂର୍ବରୁ ଆଜି ବିଜେଡିର ସଂସଦୀୟ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ସମାଲୋଚନା କରିଛି ବିଜେପି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଓବିସି ମାମଲାରେ ନିଜ ଉପରେ ଥିବା ସାମ୍ବିଧାନିକ ଦାୟିତ୍ବକୁ ଦୀର୍ଘ ୨୦ ବର୍ଷ ହେଲା ବିଜେଡି ପାଳନ ନ କରି ମିଛ ନାଟକ କରୁଛି। ଜନଗଣନାରେ ବ୍ୟକ୍ତିଙ୍କ ଜନ୍ମସ୍ଥାନ ଓ ତାଙ୍କ ପିତାଙ୍କ ଜନ୍ମସ୍ଥାନ ନେଇ ବିଜେଡି କାହିଁକି ଚିନ୍ତିତ ଓ ବିବ୍ରତ ? ଏନ୍‌ପିଆର୍‌ ମାମଲାରେ କିଛି ନ ଜାଣି ନଈ ନ ଦେଖୁଣୁ ବିଜେଡି କପଡ଼ା ଖୋଲିବା ପରିସ୍ଥିତିରେ ପହଞ୍ଚି ଯାଇଛି।

ଶ୍ରୀ ସ୍ବାଇଁ କହିଥିଲେ, ପ୍ରତି ୧୦ ବର୍ଷରେ ଜନଗଣନା କରାଯାଏ ଓ ଜନଗଣନାର ବିବରଣୀ ପ୍ରସ୍ତୁତି ଏକ ଚିରାଚରିତ ପ୍ରକ୍ରିୟା। ଆଧାର, ଟଙ୍କିକିଆ ଚାଉଳ ନେବା ପାଇଁ, ସ୍କୁଲ୍‌ କଲେଜ ନାମଲେଖା, ଡ୍ରାଇଭିଂ ଲାଇସେନ୍ସ ଆଦିରେ ବାପା ମା’ଙ୍କ ନାମ ଦରକାର ପଡ଼େ। କିନ୍ତୁ ବିଜେଡି କାହିଁକି ଏନ୍‌ପିଆର୍‌ ବେଳେ ବାପା ମା’ଙ୍କ ନାଁ ରଖିଲେ ବିରୋଧ କରୁଛି ? ଅନୁପ୍ରବେଶକାରୀଙ୍କ ସମର୍ଥନରେ ଆସି ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡ଼ିଯିବ ବୋଲି ବିଜେଡି ଭୟରେ ଏପରି କହୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ସ୍ବାଇଁ ଆହୁରି କହିଲେ, ସରକାରଙ୍କର ଓବିସି ଓ ଏସ୍‌ଇବିସି ବର୍ଗ ପାଇଁ ପ୍ରତିବଦ୍ଧତା ନ ଥିବାର ବଳିଷ୍ଠ ପ୍ରମାଣ ସମ୍ବିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି। ଏହାକୁ ସୁପ୍ରିମକୋର୍ଟ ମଧ୍ୟ ବୈଧ ଘୋଷଣା କରିଛନ୍ତି। ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ ଓ ବିହାର ଆଦି ରାଜ୍ୟ ପଛୁଆ ଜାତିଗୁଡ଼ିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ତାମିଲନାଡ଼ୁ ପରି ରାଜ୍ୟରେ ୫୯ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବା ବେଳେ ଏଥିରୁ ୫୦ ପ୍ରତିଶତ ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିର୍ଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ରାଜ୍ୟରେ ୧୯୯୩ ମସିହାରୁ ‘ଓଡ଼ିଶା ଷ୍ଟେଟ୍‌ କମିସନ୍‌ ଫର୍ ବ୍ୟାକ୍‌ୱାର୍ଡ କ୍ଲ‌ାସେସ୍‌ ଆକ୍ଟ’ ପାସ୍ ହୋଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ପଛୁଆ ଜାତି ପାଇଁ ସମ୍ବେଦନହୀନତା କାରଣରୁ ଏ ଯାଏ କମିସନ୍‌ ଗଠନ ହୋଇପାରି ନାହିଁ। ତୁରନ୍ତ ଏହି ପଛୁଆ ଜାତି କମିସନ୍‌ ଗଠନ କରି ବୈଜ୍ଞାନିକ ଓ ତଥ୍ୟ ସମ୍ବଳିତ ରିପୋର୍ଟ ଆଧାରରେ ଜନସଂଖ୍ୟାରେ ଭାଗ ଅନୁସାରେ ଅଧିକ ପ୍ରତିଶତ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ସ୍ବାଇଁ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର