ଆତ୍ମପ୍ରଚାରରେ ମାତିଛନ୍ତି ସରକାର: ବିଜେପି

ଭୁବନେଶ୍ବର : ବିଶ୍ବକପ୍‌ ହକିର ଉଦ୍‌ଘାଟନୀ ଉତ୍ସବରେ କୋଟି କୋଟି ଟଙ୍କା ବ୍ୟୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନକୁ ବିଜେପି ସମାଲୋଚନା କରିଛି। ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, ବିଶ୍ବକପ୍‌ ହକିର ଉଦ୍‌ଘାଟନୀ ଉତ୍ସବରେ ଦେଶର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଯୋଗ ଦେଇଥିଲେ ଏହାର ମହତ୍ତ୍ବ ବଢ଼ିଥା’ନ୍ତା। କିନ୍ତୁ ରାଜ୍ୟ ‌ସରକାର ସେମାନଙ୍କୁ ନିମନ୍ତ୍ରଣ କରିବାର ସୌଜନ୍ୟତା ଭୁଲିଗଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଗୀତ ଓ ନାଚ ମାଧ୍ୟମରେ ରାଜ୍ୟ ସରକାର ନିଜର ପ୍ରଚାର କରିଚାଲିଛନ୍ତି। ବଡ଼ ବଡ଼ ହୋର୍ଡିଂ ଓ ପୋଷ୍ଟର୍‌ରେ ନିଜ ଫଟୋ ମାରିଲେ ରାଜ୍ୟର ବିକାଶ ହୁଏନି। ଲୋକଙ୍କ ମୌଳିକ ଆବଶ୍ୟକତାକୁ ପୂରଣ ନ କରି ଟିକସଦାତାଙ୍କ ଅର୍ଥରେ ନିଜର ଆତ୍ମପ୍ରଚାର କରିବା ହୀନ ମାନସିକତାର ଲକ୍ଷଣ। ରାଜ୍ୟବାସୀଙ୍କ ସମସ୍ୟା ଅପେକ୍ଷା ହକି ଖେଳର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଭାବି ହକି ଖେଳକୁ ଉପଭୋଗ କରିବା ପାଇଁ ରାଜ୍ୟ ସରକାର ମାତ୍ର ୫ ଦିନରେ ବିଧାନସଭାର ଅଧିବେଶନକୁ ସା‌ରିଦେଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କିଛି କ୍ଷଣ ଲୋକଙ୍କୁ ଆନନ୍ଦ ଦେଇପାରେ। କିନ୍ତୁ ଏହା ଦ୍ବାରା ରାଜ୍ୟର ସ୍ବାର୍ଥ ରକ୍ଷା ହୋଇପାରିବ ନାହିଁ। ରାଜ୍ୟ ସରକାର ହକି ଖେଳକୁ ଏଯାବତ୍ ପ୍ରାଧାନ୍ୟ ଦେଇନାହାନ୍ତି। ହକି ଖେଳର ବିକାଶ ପାଇଁ ଭିତ୍ତିଭୂମିର ଅଭାବ ରହିଛି। ରାଜ୍ୟ ସରକାର ହକି ଖେଳ ପ୍ରତି ଆଗ୍ରହୀ ଖେଳାଳୀଙ୍କୁ କୌଣସି ପ୍ରକାର ପ୍ରୋତ୍ସାହନ ଦେଇ ନାହାନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର