ଜୋହରି, କରିମଙ୍କୁ ଭେଟିଲେ ମିତାଲି, ହରମନ୍‌ପ୍ରୀତ

ନୂଆଦିଲ୍ଲୀ: ‌ଇଂଲଣ୍ଡ ବିପକ୍ଷ ମହିଳା ଟ୍ବେଣ୍ଟି-୨୦ ବିଶ୍ବ କପ୍‌ ସେମିଫାଇନାଲ୍‌ରେ ଚୂଡାନ୍ତ ଏକାଦଶ ମନୋନୟନ ଏବଂ ଅଭିଜ୍ଞ ମିତାଲି ରାଜ୍‌ଙ୍କୁ ବାଦ୍‌ ଦେବାକୁ ନେଇ ଉଠିଥିବା ବିବାଦୀୟ ପ୍ରସଙ୍ଗ ଉପରେ ଭ‌ାରତୀୟ ଦଳର ଅଧିନାୟିକା ହରମନ୍‌ପ୍ରୀତ କୌର ଏବଂ ଦିନିକିଆ ଅଧିନାୟିକା ମିତାଲି ରାଜ ସୋମବାର ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସିଇଓ ରାହୁଲ ଜୋହରି ଏବଂ କ୍ରିକେଟ୍‌ ପରିଚାଳନା ଜିଏମ୍‌ ସବା କରିମ୍‌ଙ୍କୁ ଭେଟିଛନ୍ତି। ମିତାଲିଙ୍କୁ କାହିଁକି ଖେଳାଗଲା ନାହିଁ ଏବଂ ଦଳର ପରାଜୟ ସଂପର୍କରେ କାରଣ ଦର୍ଶାଇବାକୁ ହରମନ୍‌ପ୍ରୀତ୍‌ଙ୍କୁ ଡାକରା ମିଳିଥିଲା। ଅନ୍ୟପକ୍ଷରେ ମିତାଲି ଶାରୀରିକ ଭାବେ ସୁସ୍ଥ ଥିଲେ ମଧ୍ୟ ସେମିଫାଇନାଲ୍‌ରେ ଖେଳିବାର ସୁଯୋଗ ପାଇ ନ ଥିଲେ। ଏଥିପାଇଁ ଉଭୟ ହର୍‌ମନ୍‌ପ୍ରୀତ୍‌ ଓ ମିତାଲି ଦଳୀୟ ପ୍ରବନ୍ଧକ ତୃପ୍ତି ଭଟ୍ଟାଚାର୍ଯ୍ୟଙ୍କ ସହ ବିସିସିଆଇର ଏହି ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ଜୋହରି ଓ କରିମ୍‌ ମଧ୍ୟ ଅଲଗା ଅଲଗା ଭାବେ ତିନିଜଣଙ୍କଠୁ ସେମାନଙ୍କ ମତ ଶୁଣିଥିଲେ। ହେଲେ ବୈଠକ ବେଳେ କ’ଣ ସବୁ ଆଲୋଚନା ହେଲା ସେନେଇ ପ୍ରକାଶ କରିବାକୁ ଜୋହରି ମନା କରିଥିଲେ। ଉଭୟ ସେମାନଙ୍କ ରିପୋର୍ଟ ସିଓଏକୁ ପ୍ରଦାନ କରିବେ। ଆବଶ୍ୟକ ହେଲେ ସାଧାରଣରେ ପ୍ରକାଶ କରାଯିବ ବୋଲି କହିଛନ୍ତି। ଏବେ ପ୍ରଶିକ୍ଷକ ରମେଶ ପାୱାରଙ୍କୁ ସମନ କରାଯାଇଛି। ସେ ବୁଧବାର ଜୋହରି ଏବଂ କରିମ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର