୯୯ବର୍ଷର ପୁରୁଣା ଡାକ୍ତରଖାନାକୁ ଅବହେଳାର ପ୍ରତିବାଦ: ମନ୍ତ୍ରୀ ଟୁକୁନୀଙ୍କୁ କଳାପତାକା ପ୍ରଦର୍ଶନ

ସମସ୍ୟା ସମାଧାନ ଦିଗରେ ମନ୍ତ୍ରୀଙ୍କ ପଦକ୍ଷେପ, ଯୋଗଦେଲେ ଜଣେ ଡାକ୍ତର
୬ ଯୁବକ ଅଟକ, ଛାଡ଼ିବା ଦାବିରେ ଥାନା ଘେରାଉ
ବିରୋଧ ପୂର୍ବରୁ କଳିକେଶଙ୍କ ସହ ଆଲୋଚନାକୁ ନେଇ ଚର୍ଚ୍ଚା

ବଲାଙ୍ଗୀର/ତୁଷୁରା : ଗୁରୁବାର ବଲାଙ୍ଗୀର ଜିଲ୍ଲା ତୁଷୁରା ଗସ୍ତରେ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁ ଯିବା ସମୟରେ ରାସ୍ତାରେ ତୁଷୁରା ୟୁଥ୍‌ ଆକ୍ସନ୍‌ କମିଟି କର୍ମକର୍ତ୍ତା କଳାପତାକା ପ୍ରଦର୍ଶନ କରିଛନ୍ତି। ଏହି ଘଟଣାରେ ପୁଲିସ୍‌ ୬ ଜଣଙ୍କୁ ଅଟକ ରଖିଥିବାବେଳେ ସେମାନଙ୍କୁ ଛାଡ଼ିଦେବା ଦାବିରେ ଥାନା ଘେରାଉ କରାଯାଇଛି। ତେବେ, ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲା ପୂର୍ବରୁ ଆକ୍ସନ୍‌ କମିଟିର ଆଲୋଚନା ଓ ବିରୋଧକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ତୁଷୁରାରେ ଥିବା ୯୯ ବର୍ଷ ପୁରୁଣା ଡାକ୍ତରଖାନା ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ କରି କମିଟି ଆନ୍ଦୋଳନ ଚଳାଇଆସୁଛି। ପୂର୍ବରୁ ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ନମିଳିବା ଯାଏ କୌଣସି ନେତାଙ୍କୁ ତୁଷୁରାରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କମିଟି ଘୋଷଣା କରିଥିଲା। କେହି ପ୍ରବେଶ କଲେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ବି ଦେଇଥିଲା। ଆଜି ତୁଷୁରା ଗସ୍ତରେ ଆସିଥିବାବେଳେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କମିଟିର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଲୋଗାନ ଦେବା ସହ କଳାପତାକା ଦେଖାଇଥିଲେ। ପୁଲିସ କଳାପତାକା ଦେଖାଇଥିବା ଶ୍ରୀକାନ୍ତ ବାଗ, କାହ୍ନା ପ୍ରଧାନ, ରିକୁ ପ୍ରଧାନ, ଲିସନ ପ୍ରଧାନ, ରାମେଶ୍ୱର ରଣାଙ୍କ ସହ ୬ ଜଣଙ୍କୁ ଅଟକ ରଖିଛି। ତେବେ, ଅଟକ ଯୁବକଙ୍କୁ ଛାଡ଼ିଦେବା ଦାବିରେ ଆନ୍ଦୋଳନକୁ ସମର୍ଥନ କରୁଥିବା ଲୋକେ ଥାନା ଘେରାଉ କରିଥିଲେ।

ଅନ୍ୟପଟେ ମନ୍ତ୍ରୀ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ଡାକ୍ତରଖାନାକୁ ଯାଇ ସେଠାରେ ସମସ୍ତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ସିଡିଏମ୍‌ଓ ଡା. ଭୀମ ସାହୁ ମଧ୍ୟ ଉପସ୍ଥିତ ଥିଲେ। ଖାଲିଥିବା ସ୍ଥାନରେ ଡେପୁଟେସନରେ ଯାଇ ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର କାର୍ଯ୍ୟରେ ଯୋଗଦେଇଥିଲେ। ମନ୍ତ୍ରୀ ଆଲୋଚନା ସମୟରେ ସପ୍ତାହକ ଜଣେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଏବଂ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସପ୍ତାହକୁ ଥରୁଟିଏ ଲେଖାଏଁ ତୁଷୁରାକୁ ଆସିବାର ବ୍ୟବସ୍ଥା କରିବାକୁ ସିଡିଏମ୍‌ଓଙ୍କ ସହ ଆଲୋଚନା ହୋଇଥିଲା। ଏହାସହ ଡାକ୍ତରଖାନାରେ ଗୋଟିଏ ପଦବି ଥିବାବେଳେ ତାହାର ସଂଖ୍ୟା ୨କୁ ବୃଦ୍ଧି କରିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଯେତେଶୀଘ୍ର ସମ୍ଭବ ଗୋଟିଏ ସ୍ଥାନରେ ଦୁଇଟି ପଦବି ସୃଷ୍ଟି କରାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଓ ସିଡିଏମ୍‌ଓ ସ୍ଥାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ତୁଷୁରାରେ ଅନେକ ଉନ୍ନୟନମୂଳକ କାମ ଜାରି ରହିଛି। ବର୍ତ୍ତମାନ ସମସ୍ୟାର ସମାଧାନ ପାଇଁ ଡାକ୍ତର ନିଯୁକ୍ତି ଦିଆସରିଛି । ଡାକ୍ତରଖାନାକୁ ଅପଗ୍ରେଡ କରିବା ସହିତ ଏହାର ଉନ୍ନତି ପାଇଁ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ତେବେ, ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲା ପରେ ଏବେ ଆକ୍ସନ୍‌ କମିଟିର ଆଲୋଚନା ଓ ବିରୋଧକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଆକ୍ସନ କମିଟି ଗୁରୁବାର ସକାଳୁ ପୂର୍ବତନ ସାଂସଦ ତଥା ବିଜେଡି ନେତା କଳିକେଶ ସିଂହଦେଓଙ୍କ ସହିତ ଜୁମ୍‌ରେ ତୁଷୁରା ଡାକ୍ତରଖାନା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏପରିକି ଆଲୋଚନା ସମୟର ଫଟୋକୁ ସୋସିଆଲ ମିଡିଆରେ ଛାଡ଼ିଥିଲେ କର୍ମକର୍ତ୍ତା। ସକାଳୁ ବିଜେଡି ନେତାଙ୍କ ସହ ଆଲୋଚନାର କିଛି ସମୟ ପରେ ମନ୍ତ୍ରୀଙ୍କୁ ବିରୋଧ କରିବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିଛିଲୋକ ପ୍ରଶ୍ନ କରିଛନ୍ତି, ଡାକ୍ତରଖାନାର ଉନ୍ନତି ପାଇଁ ଯଦି ପୂର୍ବ ସାଂସଦଙ୍କ ସହ ଆଲୋଚନା କରୁଛନ୍ତି, ତା’ହେଲେ ବିଧାୟିକା ତଥା ମନ୍ତ୍ରୀଙ୍କୁ ବିରୋଧ କାହିଁକି? ଗୋଟିଏ ଦଳର ଦୁଇ ଜଣ ନେତାଙ୍କୁ ଆନ୍ଦୋଳନକାରୀଙ୍କ ଅଲଗା ଅଲଗା ବ୍ୟବହାର ପଛରେ କି ଉଦ୍ଦେଶ୍ୟ ରହିଛି ?

ଏହି ଘଟଣା ଆଜି କେବଳ ତୁଷୁରା କାହିଁକି, ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର