ବେଗୁନିଆ: ବାଣ ତିଆରି କରିବା ପାଇଁ ରଖାଯାଇଥିବା ବାରୁଦ ଗଦାରେ ନିଆଁ ଲାଗିବାରୁ ବିସ୍ଫୋରଣ ସନ୍ଦେହ, ଘର ଛାଡ଼ିଲେ ପରିବାର ଲୋକେ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ମୁକୁନ୍ଦପୁରରେ ଭୟଙ୍କର ବିସ୍ଫୋରଣ ଘଟିଥିବାର ଖବର ମିଳିଛି । ଗତକାଲି ବିଳମ୍ବିତ ରାତିରେ ମୁକନ୍ଦପୁର ଗାଁରେ ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୧୦ଟା ବେଳେ ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତର ମୁକୁନ୍ଦପୁରର ପ୍ରସନ୍ନ କୁମାର ମହାପାତ୍ରଙ୍କ ଘରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ ତାଙ୍କ ଘରର ଆଜବେଷ୍ଟସ୍ ଉଡ଼ି ଯାଇଥିଲା ଏବଂ ଘରର କାନ୍ଥ ଭାଙ୍ଗିଯାଇଥିଲା । ଆଖ ପାଖର ଘର ମଧ୍ୟ ଏଥିରେ ପ୍ରଭାବିତ ହୋଇଥିଲା। ମୃତାହତର କୌଣସି ସୂଚନା ମିଳିନାହିଁ । ଅନ୍ୟପଟେ ବାଣ ତିଆରି କରିବା ପାଇଁ ରଖାଯାଇଥିବା ବାରୁଦ ଗଦାରେ ନିଆଁ ଲାଗିବାରୁ ଏହି ବିସ୍ଫୋରଣ ହୋଇଥିବା ଗାଁରେ ଚର୍ଚ୍ଚା ହେଉଛି ।

ଏଣେ ଏହି ଅଘଟଣ ପରେ ପରିବାରକୁ ନେଇ ପ୍ରସନ୍ନ କୁମାର ମହାପାତ୍ର କୁଆଡ଼େ ଚାଲିଯାଇଥିବା ଜଣାଯାଇଛି। କୁହାଯାଉଛି ପ୍ରସନ୍ନ କୁମାର ମହାପାତ୍ର ଗାଁ ଲୋକଙ୍କୁ କହିଥିଲେ ଯେ କେହି ତାଙ୍କ ଘର ଉପରକୁ ବୋମା ପକାଇଛି। ଏହାଫଳରେ ଏଭଳି ଅଘଟଣ ଘଟିଛି। ଘଟଣାସ୍ଥଳରେ ବେଗୁନିଆ ଥାନା ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର