ଅନ୍ଧବିଶ୍ୱାସର କରୁଣ ପରିଣତି : ଦିଶାରୀ ଚିକିତ୍ସାରେ ଶିଶୁ ମୃତ

ମାଥିଲି : ଅନ୍ଧବିଶ୍ୱାସର ସାଂଘାତିକ ପରିଣତି। ଜ୍ୱରର ପୀଡିତ ୯ମାସର ଶିଶୁକନ୍ୟାକୁ ୨ଜଣ ଦିଶାରୀଙ୍କ ଦ୍ୱାରା ଚିକିତ୍ସା କରାଇଲେ। ଅବସ୍ଥା ଗୁରୁତର ହେବାରୁ ଶେଷରେ ମେଡିକାଲରେ ଭର୍ତି ହେଲା ଶିଶୁ କନ୍ୟା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସଂଧ୍ୟାରେ ଆଖି ବୁଜିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଉଦୁଲିବେଡା ପଞ୍ଚାୟତ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମରେ। ସଚେତନତା ଅଭାବରୁ ପରିବାର ଲୋକ ୨ଜଣ ଦିଶାରୀଙ୍କ ଆଶ୍ରୟ ନେଇଥିଲେ। କିନ୍ତୁ ଏଭଳି ବିଷମ ପରିସ୍ଥିତି ସୃଷ୍ଟି ହେବ ବୋଲି ସେମାନେ ଆଦୌ କଳନା କରି ନଥିଲେ। ଜିଲ୍ଲାରେ ବାରମ୍ବାର ଏମିତି ଘଟଣା ଘଟୁଥିବାରୁ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି।

ସୂଚନା ଅନୁଯାୟୀ, ସପ୍ତାହକ ତଳେ ପୂଜାରୀଗୁଡା ଗ୍ରାମର ଗୁରୁ ଓଡି ଓ ସୁନାମଣି ଓଡିଙ୍କ ୯ମାସର ଶିଶୁ କନ୍ୟାକୁ ଭୀଷଣ ଜ୍ୱର ହୋଇଥିଲା। ଝିଅକୁ ମିଳିମିଳା ହୋଇଥିବା ନେଇ କିଛି ପଡୋଶୀ କହିଥିଲେ। ଲୋକଙ୍କ କଥାକୁ ବିଶ୍ୱାସ କରି ପରିବାର ଲୋକ ଶିଶୁଟିକୁ ସ୍ୱାସ୍ଥ୍ୟକେନ୍ଦ୍ର ନେଇ ନଥିଲେ। ବରଂ ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ଗାଁର ଜଣେ ଦିଶାରୀଙ୍କ ପାଖକୁ ନେଇ ଝଡାଫୁଙ୍କା କରାଇଥିଲେ। ଝଡାଫୁଙ୍କା କରିବା ପରେ ଶିଶୁ ସଂପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି ଦିଶାରୀ ଜଣକ କହିଥିଲେ। କିନ୍ତୁ ଏହାପର ଠାରୁ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରେ ଲାଗିଲା। ଏହସତ୍ୱେ ପରିବାର ଲୋକ ଚେତି ନଥିଲେ। ପୁଣି ଲୋକଙ୍କ କଥାରେ ପଡିଲେ। ଝିଅକୁ ପେଦାଗୁଡା ଅଞ୍ଚଳରେ ରହୁଥିବା ଆଉ ଜଣେ ଦିଶାରୀଙ୍କ ନିକଟକୁ ନେଇଥିଲେ। ସେଠାରେ ମଧ୍ୟ ଦିଶାରୀ ଜଣକ ଶିଶୁଟିକୁ ଝଡାଫୁଙ୍କା କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିନଥିଲା। ଆଜି ସଂଧ୍ୟାରେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ପରିବାର ଲୋକ ଶିଶୁଟିକୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଯାଇଥିବା ଡା. ରାକେଶ କୁମାର ବେହେରା କହିଥିଲେ। ମୃତ ଶିଶୁ ଟାଏଫଏଡରେ ଆକ୍ରାନ୍ତ ଥିଲା। ଯଦି ୨ଦିନ ପୂର୍ବରୁ ମେଡିକାଲ ଅଣାଯାଇଥାନ୍ତା ତେବେ ଶିଶୁଟି ବଞ୍ଚି ଯାଇପାରିଥାନ୍ତା ବୋଲି ଡା. ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର