ସାମାଜିକ ଦୂରତା ବଜାୟ ରଖିବା ପାଇଁ ୪୧ଟି ହାଟ ଓ ବଜାର ସ୍ଥାନାନ୍ତର, ଘରେ ବସି ଖାଦ୍ୟ ପାଇବା ଲାଗି ସ୍ୱିଗ୍ଗୀ ସହ ବୁଝାମଣା କଲା ବିଏମସି

ସବୁଜ ପନିପରିବା ଯୋଗାଣ ପାଇଁ ନିୟୋଜିତ ହେଲା ବିତରଣ ଭ୍ୟାନ୍

ଭୁବନେଶ୍ୱର: ପରିସ୍ଥିତିକୁ ଦେଖି ଏବେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅନଲାଇନ ମାଧ୍ୟମରେ ଲୋକମାନଙ୍କୁ ଗୁଣାତ୍ମକ ତଥା ସ୍ୱଚ୍ଛ ଖାଦ୍ୟ ଯୋଗାଇବା ଆରମ୍ଭ କରିଛି | ଅଗ୍ରଣୀ ଅନଲାଇନ ଫୁଡ୍ ଡେଲିଭେରି କଂପାନି ସ୍ୱିଗ୍ଗୀ ସାହାଯ୍ୟରେ ଏବେ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ଆରମ୍ଭ କରିଛି ବିଏମସି |

ରାଜ୍ୟର ବୃହତ୍ତମ ନାଗରିକ ସଂସ୍ଥା ବିଏମସି ସୂତ୍ର ଅନୁଯାୟୀ ଏହା ଲୋକମାନଙ୍କୁ, ବିଶେଷକରି ଶ୍ରମିକ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବ, ଯେଉଁମାନେ କୋଭିଡ-୧୯ ଭଳି ମହାମାରୀ ରୋଗ ପାଇଁ ଖାଦ୍ୟ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟ ପକ୍ଷରେ, ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ବିଏମସି ରାଜ୍ୟର ରାଜଧାନୀର ବିଭିନ୍ନ ସ୍ଥାନରେ ୪୧ଟି ଛୋଟ ବଜାର / ହାଟକୁ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିଛି | ଏହା ଦ୍ୱାରା ସାମାଜିକ ଦୂରତା ବଜାୟ ରହିବ ସହ ଲୋକ ଜରୁରୀ ଜିନିଷ ସୁବିଧାରେ ପାଇଁ ପାରିବେ | ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏସଓପି ଅନୁଯାୟୀ ସାମାଜିକ ଦୂରତା ଅଭ୍ୟାସକୁ ସୁନିଶ୍ଚିତ କରିବା ପାଇଁ ବିଏମସିର ତିନୋଟି ପ୍ରଶାସନିକ ଜୋନରେ ବରିଷ୍ଠ ବିଏମସି ଅଧିକାରୀଙ୍କ ସକ୍ରିୟ ତତ୍ୱାବଧାନରେ ସ୍ଥାନୀୟ ବଜାର / ହାଟ ପରିଚାଳନା କରାଯାଉଛି।

ଏହା ସହ ବିଏମସି କର୍ତ୍ତୃପକ୍ଷ ସହରର ପ୍ରତ୍ୟେକ କୋଣରେ (ସମସ୍ତ ତିନୋଟି ଜୋନରେ) ପନିପରିବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ବିତରଣ ଭ୍ୟାନ୍ ମଧ୍ୟ ନିୟୋଜିତ କରିଛନ୍ତି, ଯାହା ଦ୍ୱାରା ଲୋକମାନେ ସବୁଜ ପନିପରିବା ଯୋଗାଣକୁ ନେଇ ଚିନ୍ତିତ ହେବେ ନାହିଁ ଏବଂ ଘରେ ରହି ପନିପରିବା ପାଇଁ ପାରିବେ |

ସମ୍ବନ୍ଧିତ ଖବର