ବୋଟ୍‌ ମରାମତି ଓ ନାବିକ ନିଯୁକ୍ତି କେଳେଙ୍କାରୀ, ଦୁର୍ନୀତି ପରେ ବି ଅର୍ଥ ମଞ୍ଜୁର

ନାଁକୁ ମାତ୍ର ତଦନ୍ତ ନିର୍ଦ୍ଦେଶ

ଯାଜପୁରରୋଡ୍‌: ବୋଟ୍ ମରାମତି ଓ ନାବିକ ନିଯୁକ୍ତି କେଳେଙ୍କାରୀରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ଏସ୍ଆରସିଙ୍କ ତଦନ୍ତ ନିର୍ଦ୍ଦେଶ ସତ୍ବେ ୬୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସେପଟେ ଏଏମ୍ଇଙ୍କ ବଦଳି ଆଦେଶ କାର୍ଯ୍ୟକାରୀ ହେଉନି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିପନ୍ନଙ୍କୁ ସହାୟତା ଯୋଗାଇ ଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରାଯାଇଛି। ରାଜ୍ୟ ସରକାରଙ୍କର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଥିବା ବୋଟ୍‌(ଲଞ୍ଚ) ମରାମତି, ନାବିକ ଓ ଖଲାସୀ ନିଯୁକ୍ତି ପ୍ରଭୃତି କେଳେଙ୍କାରୀ ଘଟଣା ‘ସମ୍ବାଦ’ ଲୋକଲୋଚନକୁ ଆଣିବା ପରେ ଏସ୍ଆରସି ତଦନ୍ତ ନିର୍ଦେଶ ଦେଇଥିଲେ। ଅଭିଯୋଗର ତଦନ୍ତ ସହିତ କଟକରେ ଥିବା ଷ୍ଟେଟ୍‌ ପୋର୍ଟ‌୍‌ ଇଜିନିୟରି˚ ସ˚ସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଏମଇ) ଅମରଜିତ୍‌ ବେହେରାଙ୍କୁ ଏସ୍‌ଆର‌୍‌ସି ବଦଳି କରିଥିଲେ। ମାତ୍ର ଶ୍ରୀ ବେହେରାଙ୍କ ବଦଳି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନଥିବା ବେଳେ ବିବାଦୀୟ ଅନନ୍ତ ବଳିଆ ଫାର୍ମ ନାମରେ ମରାମତି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଆହୁରି ମଧ୍ୟ, ବୋଟ୍ ମରାମତି ନାମରେ ଏବେ ୬୩ ଲକ୍ଷ ଟଙ୍କା ସରକାରୀ ଅନୁଦାନ ମଞ୍ଜୁର କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାର ମାର୍ଶାଘାଇ ବ୍ଲକ୍‌ରେ ଥିବା ଏଏଲ୍‌-୪୧ ଓ ୪୨ ବୋଟ୍‌ରେ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। କେବଳ ରଙ୍ଗ ବୋଳା ଯାଇ ଏହି କାରବାର ହୋଇଛି। ୮୧ଟି ବୋଟ୍‌ ମରାମତି ବାବଦରେ ୮୯.୪୩ଲକ୍ଷ ଟଙ୍କା ଖର୍ଚର ଜାଲ କାଗଜପତ୍ର କରାଯାଇଛି। ୨୦୧୨-୧୩ ରୁ ୨୦୧୬-୧୭ ଆର୍ଥିକ ବର୍ଷରେ ଗୋଟିଏ ଗୋଟିଏ ବୋଟ ବାବଦରେ ମିଥ୍ୟା ବିଲ୍‌ କରି ସରକାରୀ ଅର୍ଥ ଚଳୁ କରାଯାଇଛି। ଏପରିସ୍ଥଳେ, ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ ସତ୍ତ୍ବେ କିଭଳି ୬୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର