ଡଙ୍ଗା ବୁଡ଼ି ନଦୀରେ ନିଖୋଜ ଘଟଣା : ତିନି ଦିନ ପରେ ମୃତଦେହ ଉଦ୍ଧାର

ଲମତାପୁଟ : ମାଛକୁଣ୍ତ ନଦୀକୁ ମାଛ ଧରିବା ପାଇଁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ଶବ ସୋମବାର ଉଦ୍ଧାର କରାଯାଇଛି। କୋରାପୁଟ ଓଡ୍ରାଫ୍‌ ଟିମ୍‌ ମାଛକୁଣ୍ଡ ନଦୀରୁ ଯୁବକଙ୍କ ଶବ ଉଦ୍ଧାର କରିବା ପରେ ପୁଲିସ ଶବ ବ୍ୟବ‌ଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପ୍ରକାଶ ଥାଉକି, ମାଛକୁଣ୍ତ ଥାନା ଅନ୍ତର୍ଗତ ହନ୍ତାଳପୁଟ ଗ୍ରାମର ସମରା ଗୋଲରୀ ନିଜ ପତ୍ନୀ ମଣିମାଙ୍କ ସହିତ ଶୁକ୍ରବାର ଅପରାହ୍ନରେ ମାଛକୁଣ୍ତ ନଦୀ ବିଦ୍ୟୁତ ପ୍ରକଳ୍ପର ତଳ ଭାଗକୁ ମାଛ ଧରିବା ପାଇଁ ଯାଇଥିଲେ। ମଣିମା ନଦୀ ମୁହାଣରେ ବସିଥିବା ବେଳେ ସୋମରା ମାଛ ଧରିବାକୁ ଏକ ଡଙ୍ଗାରେ ନଦୀର ଅପର ପାର୍ଶ୍ବ ତଥା ଆନ୍ଧ୍ର ସୀମାନ୍ତକୁ ଯାଇଥିଲେ। ତେବେ ମାଛ ଧରୁଥିବା ସମୟରେ ହଠାତ୍‌ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ି ଯିବାରୁ ସମରା ମଧ୍ୟ ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ସମରା ନଦୀରେ ବୁଡ଼ି ଯିବା ନେଇ ପତ୍ନୀ ସଂପର୍କୀୟ ମାନଙ୍କୁ ଜଣାଇଥିଲେ। ଖବର ପାଇଁ ଲମତାପୁଟ ଅଗ୍ନିଶମ ବିଭାଗ କର୍ମଚାରୀ ଶନିବାର ଦିନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ସମରାଙ୍କୁ ଉଦ୍ଧାର କରିପାରି ନଥିଲେ।

ନଦୀରେ ପାଣିର ‌ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ମାଛକୁଣ୍ତ ତହସିଲଦାର ମାନସ ରଞ୍ଜନ ପଟ୍ଟନାୟକ ଓଡ୍ରାଫ୍‌ ଟିମ୍‌ର ସହାୟତା ପାଇଁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ରବିବାର କୋରାପୁଟ ଓଡ୍ରାଫ୍‌ ଟିମ୍‌ର ୮ଜଣ ସଦସ୍ୟ ମାଛକୁଣ୍ତ ନଦୀରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଖୋଜାଖୋଜି କରିବା ପରେ ଘଟଣା ସ୍ଥଳରୁ ପ୍ରାୟ ୧ କିଲୋମିଟର ଦୂରରୁ ନିଖୋଜ ସମରାଙ୍କ ଶବକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଖବର ପାଇ ମାଛକୁଣ୍ତ ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ଲାକ୍ରା, ହାବିଲଦାର ଚୈତନ୍ୟ ନାୟକ ଓ ଅନକାଡେଲୀ ସରପଞ୍ଚ ଜଗନ୍ନାଥ ହନ୍ତାଲ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ମାଛକୁଣ୍ଡ ପୁଲିସ ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ସମରାଙ୍କ ଶବ ଉଦ୍ଧାର ହେବା ପରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର