ବଣ୍ଡାଘାଟିର ଆଶାର ଆଲୋକ ଶାନ୍ତି : ପାଠ ପଢ଼ିବାକୁ ଚାହୁଁଛି ବଣ୍ଡା ଝିଅ, ମଜୁରି ଖଟୁଛି, କଲେଜରେ ନାଁ ଲେଖାଇବାକୁ ସଞ୍ଚୁଛି ଟଙ୍କା

ମାଲକାନଗିରି : ଚଳିତ ବର୍ଷ ମାଟ୍ରିକ୍ ପାସ୍ କରିଛି। କଲେଜରେ ପାଠ ପଢ଼ି ଆଗକୁ ବଢ଼ିବା ପାଇଁ ପ୍ରବଳ ଆଗ୍ରହ ବି ରହିଛି। ହେଲେ ଘରର ଆର୍ଥିକ ସ୍ଥିତି ଆଦୌ ଭଲ ନୁହେଁ। ବୃଦ୍ଧ ବାପା, ମା’ ଝିଅକୁ ପଢ଼ାଇବା ପାଇଁ ଅକ୍ଷମ। ତେଣୁ ନିଜ ପାଇଁ ନିଜେ ସମାଧାନର ରାସ୍ତା ବାହାର କରିଛି ସେ। ଛୁଟିରେ ଏବେ ମଜୁରି ଖଟୁଛି। ଯାହା ରୋଜଗାର ହେଉଛି ତାହାକୁ ସଞ୍ଚୟ କରୁଛି। ଏହି ଟଙ୍କାରେ ସେ ଯୁକ୍ତ୨ରେ ନାଁ ଲେଖାଇବ। ନିଜ ସ୍ବପ୍ନକୁ ସାକାର କରିବା ପାଇଁ ଜଣେ ବଣ୍ଡା ଝିଅର ଏମିତି ଗଭୀର ଆତ୍ମବିଶ୍ବାସ ଓ କଠିନ ପରିଶ୍ରମ ସମୁଦ୍ର ପତନଠାରୁ ୫ହଜାର ଫୁଟ ଉଚ୍ଚରେ ଥିବା ରାଜ୍ୟର ସବୁଠୁ ପଛୁଆ ଇଲାକା ବଣ୍ଡା ଘାଟିକୁ ନୂଆ ଆଶା ଦେଇଛି। ଅନ୍ୟପଟେ ସରକାରୀ ଯୋଜନା ଏବଂ ପ୍ରତିଶ୍ରୁତିର ନକାରାତ୍ମକ ଚିତ୍ରକୁ ବି ପଦାରେ ପକାଇ ଦେଇଛି।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ଶିକ୍ଷା ଓ ଆଧୁନିକ ସଭ୍ୟତାଠାରୁ ବହୁ ପଛରେ ରହିଛି। ଅନ୍ଧାରୀ ମୂଲକ ଭାବେ ପରିଚିତ ଏହି ଅଞ୍ଚଳରେ ଏକ ପ୍ରକାର ଦୁର୍ବିସହ ଜୀବନ ବିତାଉଛନ୍ତି ଆଦିମ ଜନଜାତି ବଣ୍ଡା। ଯଦିଓ କିଛିଟା ସଚେତନତା ଏମାନଙ୍କୁ ସ୍ପର୍ଶ କରିଛି, ତଥାପି ଯେଉଁ ପରିମାଣରେ ଏମାନଙ୍କ ବିକାଶ ହେବା କଥା ତାହା ହୋଇପା‌ରି ନାହିଁ। ଏମିତି ଅବିକଶିତ ଅଞ୍ଚଳରେ ପଙ୍କରୁ ପଦ୍ମ ଫୁଟିଲା ଭଳି ଅନ୍ୟମାନଙ୍କୁ ରାହା ଦେଖାଇଛି ଶାନ୍ତି ଧାଙ୍ଗଡ଼ାମାଝୀ। ବଣ୍ଡାପଡ଼ା ଗ୍ରାମର ସନିଆ ଧାଙ୍ଗଡ଼ାମାଝୀଙ୍କ ସାନ ଝିଅ ହେଲା ଶାନ୍ତି। ଦୁଇ ବଡ଼ ଭଉଣୀଙ୍କ ମଧ୍ୟରୁ ସବାବଡ଼ ଭଉଣୀ ବିବାହ କରି ସାରିଛି। ମଝିଆ ଭଉଣୀ ବି ଗାଁ ସ୍କୁଲରେ ଅଳ୍ପ ପାଠ ପଢ଼ିଛି। ହେଲେ ଆର୍ଥିକ ଅନଟନ ଯୋଗୁଁ ଅଧିକ ପଢ଼ିବା ପାଇଁ ସୁଯୋଗ ପାଇ ନଥିଲା। ତେବେ ଶାନ୍ତିର ପାଠପଢ଼ା ପ୍ରତି ରହିଥିବା ଇଚ୍ଛା ଆଗରେ ଏଯାଏ ପ୍ରତିବନ୍ଧକ ସାଜିପାରିନି ଅର୍ଥ। ଚଳିତ ବର୍ଷ ସେ ମାଟ୍ରିକ ପାସ୍ କରିଛି। ଆଗକୁ ଆହୁରି ପାଠ ପଢ଼ିବ ଏବଂ ନିଜ ଗୋଡ଼ରେ ନିଜେ ଠିଆ ହେବ। ପରିବାର ପାଇଁ ବୋଝ ପାଲଟିବା ବଦଳରେ ପରିବାର ବୋଝକୁ ନିଜେ କାନ୍ଧେଇବାକୁ ନିଷ୍ପତ୍ତି ନେଇଛି। ଅର୍ଥାଭାବ ସତ୍ତ୍ବେ ସେ ଚଳିତ ବର୍ଷ ଯୁକ୍ତ୨ରେ ନାଁ ଲେଖାଇବା ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଏଥିପାଇଁ ବାପା, ମା’ଙ୍କ ଆୟ ଉପରେ ନିର୍ଭର ନକରି ନିଜେ ଘର ବାହାରକୁ ପାଦ କାଢ଼ିଛି। ଗାଁ ଆଖପାଖ ଅଞ୍ଚଳରେ ଯାହା କାମ ମିଳୁଛି କରୁଛି। କଠିନ ପରିଶ୍ରମ କରିବାକୁ ବି ପଛାଉ ନାହିଁ। ଦିନତମାମ ପରିଶ୍ରମ ପରେ ଯାହା ରୋଜଗାର କରୁଛି ତାହାକୁ ଖର୍ଚ୍ଚ କରିବା ପରିବର୍ତେ ସଂଚୟ କରୁଛି। ଏହି ସଞ୍ଚିତ ଅର୍ଥରେ ସେ ଯୁକ୍ତ୨ ପଢ଼ିବ ବୋଲି କହିଛି ଏହି ପ୍ରେରଣାଦାୟୀ ବଣ୍ଡା ଝିଅ।

ପ୍ରାୟତଃ ବଣ୍ଡା ଝିଅ ଶିକ୍ଷାପ୍ରତି ସେତେଟା ଆକର୍ଷିତ ହେଉ ନଥିବା ଏଠାକାର ଶିକ୍ଷାହାରକୁ ଦେଖିଲେ ଜାଣିହେବ। ତେଣୁ ଅଳ୍ପ ବୟସରେ ହିଁ ବଣ୍ଡା ପରିବାର ଝିଅକୁ ବାହା କରିଦେବାର ପରଂପରା ରହିଛି। ନଚେତ ଘରେ ରହି ବାପା, ମା’ଙ୍କୁ କାମରେ ସହାୟତା କରିବା ହିଁ ଏମାନଙ୍କ ଭାଗ୍ୟରେ ଲେଖା ହୋଇଛି ବୋଲି ଅଧିକାଂଶ ବଣ୍ଡା ଝିଅ ଧରି ନେଇଛନ୍ତି। ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାକୁ ଦାଦନ ଖଟିବାକୁ ବାହାରକୁ ଚାଲି ଯାଉଛନ୍ତି। ତେବେ ଗାଁ ଛାଡ଼ିଥିବା ବଣ୍ଡା ଝିଅ ନିର୍ଯାତିତା ହେବାର ବହୁ ଉଦାହରଣ ରହିଛି। ସରକାରୀ ଯୋଜନାରେ ଯେଉଁ ବଣ୍ଡା ଝିଅ ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢ଼ୁଛି, ମାଟ୍ରିକ ପରେ ସେଥିରୁ ଅଧିକାଂଶ ପାଠ ଛାଡ଼ୁଛନ୍ତି। କାଁଭାଁ ଅଧିକ ପାଠ ପଢ଼ୁଥିଲେ ବି ନିଯୁକ୍ତି କ୍ଷେତ୍ରରେ ଏମାନଙ୍କ ସଂଖ୍ୟା ବହୁତ କମ୍। ଏମିତି ସ୍ଥିତିରେ ଶାନ୍ତି ସମଗ୍ର ବଣ୍ଡା ଅଞ୍ଚଳ ପାଇଁ ଆଶାର ଆଲୋକ ସାଜିଛନ୍ତି।

ସମ୍ବନ୍ଧିତ ଖବର