ଗାଡ଼ି ଉପରେ ପଡ଼ିଲା ବୁମ୍‌ ବାରିଅର: ଟୋଲପ୍ଲାଜାରେ ଉତ୍ତେଜନା

ରାମଚନ୍ଦ୍ରପୁର : କାର୍‌ ଉପରେ ଟୋଲପ୍ଲାଜାର ବୁମ୍‌ ବ୍ୟାରିଅର ପଡ଼ିବାରୁ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ହସନପୁର ଟୋଲ୍‌ପ୍ଲାଜାରେ ଚାଳକ ଏବଂ ଟୋଲ୍‌ପ୍ଲାଜା କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ କାର୍‌ ଚାଳକ ଏବଂ ତାଙ୍କ ସହ ଥିବା ଜଣେ ମହିଳା ଟୋଲ୍‌ପ୍ଲାଜାର ଫାଷ୍ଟଟାଗ୍‌ ରିଡର ମେସିନ୍‌ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଟୋଲପ୍ଲାଜା କର୍ମଚାରୀଙ୍କ କହିବା ଅନୁସାରେ, ଆଜି ପୂର୍ବାହ୍ନ ୧୧ଟା ୧୬ରେ ଯାଜପୁର ପଟୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ବୋଲେରୋ ପଛପଛେ ଏକ କ୍ରେଟା କାର୍ ଆସୁଥିଲା। କାର୍‌ଟି ଟୋଲ୍‌ ଫାଙ୍କି ଫାଟକ ପାରି ହେବାକୁ ଉଦ୍ୟମ କରୁଥିବା ବେଳେ ଟୋଲ୍‌ପ୍ଲାଜାର ବୁମ୍‌ ବ୍ୟାରିଅର ଉପରେ ଖସି ପଡ଼ିଥିଲା। ଏହାକୁ କେନ୍ଦ୍ରକରି ଟୋଲ୍‌ପ୍ଲାଜା କର୍ମଚାରୀଙ୍କ ସହ କାର୍‌ ଚାଳକ ଏବଂ କାର୍‌ରେ ଥିବା ଜଣେ ମହିଳାଙ୍କ କଥା କଟାକଟି ହୋଇଥିଲା। କାର୍‌ ଚାଳକ ଏବଂ ମହିଳା ଜଣଙ୍କ ଟୋଲ୍‌ପ୍ଲାଜାର ଫାଷ୍ଟଟାଗ୍‌ ରିଡର ମେସିନକୁ ଭାଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଟୋଲ୍‌ପ୍ଲାଜା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜ୍‌ ଗାଡ଼ି ନମ୍ବର ସଂଗ୍ରହ କରି ଏ ସମ୍ପର୍କରେ ସାଇଁକୁଳ ଫାଣ୍ଡିରେ ଅଭିଯୋଗ କରାଯାଇଛି ବୋଲି ଟୋଲ୍‌ପ୍ଲାଜା ମ୍ୟାନେଜର କହିଥିବା ବେଳେ ଏନେଇ କୌଣସି ଅଭିଯୋଗ ହୋଇନି ବୋଲି ସାଇଁକୁଳ ଫାଣ୍ଡି ଅଧିକାରୀ ରବୀନ୍ଦ୍ର ମୁଣ୍ତାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର