ଧାନ ଖାଇଗଲା ଗୋଠଛଡ଼ା ଦନ୍ତା, ଭୀମକୁଣ୍ଡ ବଙ୍ଗଳା ପାଚେରି ଭାଙ୍ଗିଲା ହାତୀ

ମାଛଗଡ଼/ପାଟଣା: ଗାଁ ଗାଁରେ ବୁଲୁଛି ଗୋଠଛଡ଼ା ଦନ୍ତା। ଲୋକଙ୍କ ଘର ଭାଙ୍ଗି ଧାନ ଖାଇବା ସହ ଜମିରେ ପଶି ପାଚିଲା ଧାନ ନଷ୍ଟ କରୁଛି। ଗୋଠଛଡ଼ା ଦନ୍ତା ଉତ୍ପାତ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲ ଘୂରି ବୁଲୁଛନ୍ତି। ଏହି ହାତୀପଲ ମୟୂରଭଞ୍ଜ ଜିଲ୍ଲାରୁ ଆସିଛନ୍ତି। ପଲରେ ୪ଟି ଦନ୍ତା, ୧୪ଟି ମାଈ ଓ ୭ଟି ଛୁଆହାତୀ ଅଛନ୍ତି। ଏଥିରୁ ଏକ ଦନ୍ତାହାତୀ ଗୋଠଛଡ଼ା ହୋଇ ଘୂରି ବୁଲୁଛି। ଗତକାଲି ରାତିରେ ବନବିର ଗ୍ରାମରେ ଦନ୍ତାହାତୀଟି ପଶି ସଦାନନ୍ଦ ଦତ୍ତ ଓ କ୍ଷୀରୋଦ ମହାନ୍ତଙ୍କ ଘରର କବାଟ ଭାଙ୍ଗି ଧାନ ଖାଇଦେଇଛି। ଲୋକେ ଘଉଡ଼ାଇବାରୁ ଦନ୍ତାଟି ତେଲନଦୀ ପାର ହୋଇ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜକୁ ଚାଲି ଯାଇଛି। କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଲୋକେ ଦାବି କରିଛନ୍ତି।

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ  ଡୁମୁରିଆ ଅଞ୍ଚଳରେ ଦୁଇଦିନ ହେଲା ୨୬ ଟିକିଆ ହାତୀପଲ ଉପଦ୍ରବ ଚଳାଇଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଡୁମୁରିଆ ନିକଟରେ ଥିବା ରାଜ୍ୟ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ଥିବା ପଞ୍ଚାୟତ ଡାକବଙ୍ଗଳାର ପା‌ଚେରି ଭାଙ୍ଗି ଦେଇଛନ୍ତି ହାତୀପଲ। ଏହି ହାତୀପଲ ଶୁକ୍ରବାର ରାତିରେ ବଣମହୁଲଡିହା, ଘାଟବାଲିଯୋଡ଼ି, ପିଛୁଳାବେଡ଼ା ଗ୍ରାମର ଚାଷୀଙ୍କ ବିଲରେ ପଶି ଧାନ ଖାଇବା ସହ ଦଳିଚକଟି ନଷ୍ଟ କରିଦେଇଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ବର୍ତ୍ତମାନ ଏହି ହାତୀପଲ ବୈତରଣୀ ନଦୀ ପାର ହୋଇ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଜଙ୍ଗଲକୁ ଚାଲି ଯାଇଥିବା ରେଞ୍ଜର ଟିକେଶ୍ୱର ମହାନ୍ତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର